ବିଭିନ୍ନ ଦାବିନେଇ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା

ଆଜି ରାଜଧାନୀ ର ଲୋୟର ପିଏମଜିରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ଟ୍ରାଫିକ ବ୍ୟବସ୍ଥାସମ୍ପୂର୍ଣ୍ଣ ବିଗିଡି ଯାଇଥିଲା । ରସୁଲଗଡ଼ ଠାରୁ , ବାଣୀବିହାର ଦେଇ ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ସହ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ଏଥିଯୋଗୁ ନିଜ ଲକ୍ଷ୍ୟ ସ୍ଥଳ ଅଭିମୁଖେ ଯାଉଥିବା ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି ।
ସୂଚନାଯୋଗ୍ୟ, ୧୦ ଦଫା ଦାବି ପୂରଣ ନିମନ୍ତେ ଗତ ସେପ୍ଟେମ୍ବର ୧ ତାରିଖରେ ଡ୍ରାଇଭର ଦିବସ ଅବସରରେ ଓଡ଼ିଶାର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ମାତ୍ର ଡ୍ରାଇଭରଙ୍କ ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ମହାସଂଘ।
ଏପରିକି ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱରମୁହାଁ ହୋଇଥିଲେ। ଏହାପରେ ଆଜି ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ପହଞ୍ଚିବା ପରେ ନବୀନ ନିବାସ ମୁହାଁ ହୋଇଛନ୍ତି।ଆନ୍ଦୋଳନରତ ଡ୍ରାଇଭରଙ୍କ ଦାବି ମୁତାବକ, କରୋନା କାଳରେ ଡ୍ରାଇଭରମାନେ ଅହରହ କାମ କରିଥିଲେ । ହେଲେ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ତାଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନ ଥିବା ବେଳେ ଏ ଯାଏ ବହୁ ଡ୍ରାଇଭର କରୋନା ଟିକା ବି ପାଇପାରି ନାହାନ୍ତି।
ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଇନସୁରାନ୍ସ ତଥା ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ପ୍ରତି ୧୦୦ କିମି ଦୂରତାରେ ବସ୍ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ୫୫ ବର୍ଷ ପରେ ଲାଇସେନ୍ସ ରଦ୍ଦ କରାଯାଉ ଥିବାରୁ ପେନସନ୍ ବ୍ୟବସ୍ଥା,ଇତ୍ୟାଦି ପାଇଁ ଦାବି ହୋଇଛି।
ସେହିପରି ଡ୍ରାଇଭରଙ୍କ ପ୍ରତିଦିନ କାମ କରିବାର ସମୟ ସୀମା ୮ ଘଣ୍ଟା ରଖିବା ସହ ଛୋଟ ଗାଡ଼ି ଡ୍ରାଇଭରଙ୍କ ଦରମା ଅତି କମ୍‌ରେ ୧୫ ହଜାର ଟଙ୍କା ଓ ଲାଇନ୍‌ ଗାଡ଼ି ଡ୍ରାଇଭରଙ୍କ ଦରମା ୨୦ ହଜାର ଉପରେ ରଖିବାକୁ ଦାବି ହୋଇଛି।
ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଡ୍ରାଇଭର ମହାସଂଘ କର୍ମକର୍ତ୍ତା।
ବାରମ୍ବାର ଭୁବନେଶ୍ୱର ରାଜରାସ୍ତା ତଥା ମୁଖ୍ୟ ଟ୍ରାଫିକ ଗୁଡିକରେ ଏଇଭଳି ଶହ ଶହ ଲୋକଙ୍କ ଦ୍ୱାରା ରାଲି ଧାରଣା ଯୋଗୁଁ ରାସ୍ତା ପ୍ରବଳ ଜାମ ହେଉଛି I ସାଧାରଣ ଜନତା ନିଜର ଦୈନନ୍ଦିନ କାମ ସାଙ୍ଗକୁ ଅତ୍ୟାବଶ୍ୟକୀୟ ଜରୁରୀ କାମ ମଧ୍ୟ ଠିକ ସମୟରେ କରିପାରୁନାହିଁ ଏଥିଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡିଲେଣି I

Comments (0)
Add Comment