ଦୁଗ୍ଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ଭୁବନେଶ୍ବର: କଟକ ଜଗତପୁର ଶିଳ୍ପାଞ୍ଚଳସ୍ଥିତ ପ୍ରସିଦ୍ଧ ‘ପ୍ରଗତି ଦୁଗ୍ଧ’ କାରଖାନାରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ଛାରଖାର ହୋଇଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସକାଳ ସମୟରେ କାରଖାନାର ଗୋଦାମ ଭିତରୁ ହଠାତ୍ ନିଆଁ ବାହାରିଥିଲା। ଗୋଦାମ ମଧ୍ୟରେ ପ୍ରଚୁର ପରିମାଣର କ୍ରିମ୍, ଗ୍ରୀଜ୍, କାର୍ଟୁନ୍, ପ୍ଲାଷ୍ଟିକ୍ ପ୍ୟାକେଜିଂ ସାମଗ୍ରୀ ଓ ଅନ୍ୟାନ୍ୟ ଦାହ୍ୟ ପଦାର୍ଥ ରହିଥିବାରୁ ନିଆଁ ଅତି ଦ୍ରୁତଗତିରେ ସମଗ୍ର ସୌଧକୁ ବ୍ୟାପିଯାଇଥିଲା। ନିଆଁର ଲେଲିହାନ ଶିଖା ସହ ଗୋଦାମ ଭିତରୁ ପ୍ରାୟ ୪୦ ଫୁଟ ଉଚ୍ଚର କଳା ଧୂଆଁ ନିର୍ଗତ ହୋଇ ଆକାଶକୁ ଆଚ୍ଛାଦିତ କରିଦେଇଥିଲା। ଏହି ପ୍ରବଳ ଧୂଆଁ ଓ ପୋଡ଼ା ଗନ୍ଧ ପ୍ରାୟ ୩ରୁ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ପ୍ରଥମେ କାରଖାନାର କର୍ମଚାରୀମାନେ ନିଜସ୍ୱ ସ୍ତରରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଚାଉଳିଆଗଞ୍ଜ ଓ କଟକ ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ୩ଟି ଏବଂ ପରେ ଆଉ ଗୋଟିଏ-ଏପରି ମୋଟ ୪ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କାରଖାନା ଭିତରୁ ପ୍ରବଳ କଳା ଧୂଆଁ ନିର୍ଗତ ହେଉଥିବାରୁ ଉଦ୍ଧାର ଓ ଅଗ୍ନି ନିର୍ବାପନ କାର୍ଯ୍ୟରେ ବାଧା ଉପୁଜିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲେ ସୁଦ୍ଧା, ପ୍ରାଥମିକ ଭାବେ ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।