ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣ ପତ୍ର ଆଇନ ସମ୍ମତ ନୁହେଁ : ସୁପ୍ରିମକୋର୍ଟ

ଶୁକ୍ରବାର ଦିନ ବିବାହ ପ୍ରମାଣ ପତ୍ରକୁ ନେଇ ସୁପ୍ରିମକୋର୍ଟ ଏକ ନୂଆ ରାୟ ଶୁଣାଇଛନ୍ତି I ସୁପ୍ରିମ କୋର୍ଟଙ୍କ ରେ ଅନୁସାରେ ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଆଇନ ସମ୍ମତ ନୁହେଁ I ଆର୍ଯ୍ୟ ସମାଜ ଏକ ହିନ୍ଦୁ ସଂସ୍କାରବାଦୀ ସଂଗଠନ । ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା I ତେଣୁ ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ପ୍ରଦାନ କରିବାର କୌଣସି ଅଧିକାର ନାହିଁ। ଏହା ସହ ନାବାଳିକାକୁ ଅପହରଣ ଓ ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବିବି ନାଗରତ୍ନାଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଯୁବତୀ ଜଣଙ୍କ ସାବାଳିକା ଅଟନ୍ତି ଓ ସେ ଏକ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଛନ୍ତି ଏବଂ ଏଥିସମ୍ପର୍କିତ ମ୍ୟାରେଜ ସାର୍ଟିଫିକେଟ ରେକର୍ଡ କରାଯାଇଛି ବୋଲି ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ତେବେ ଏନେଇ ବେଞ୍ଚ କହିଥିଲେ ଯେ, ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କର କାମ ଅଟେ । କେବଳ ବିଭାଗୀୟ ଅଧିକାରୀ ହିଁ ବିବାହ ପ୍ରମାଣପତ୍ର ଦେଇପାରିବେ। ତେଣୁ ଆବେଦନକାରୀଙ୍କୁ ମୂଳ ପ୍ରମାଣପତ୍ର ଆଣିବାକୁ ସୁପ୍ରିମକୋର୍ଟ କହିଥିଲେ।
ମଧ୍ୟପ୍ରଦେଶରେ ଏକ ପ୍ରେମ ବିବାହ ସମ୍ପର୍କିତ ମାମଲାରେ କୋର୍ଟ ଏହା କହିଛନ୍ତି । ଅଭିଯୋଗ ଅନୁଯାୟୀ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ଏନେଇ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ତେବେ ଯୁବକ ଜଣକ ତାଙ୍କ ପିଟିସନରେ କହିଥିଲେ ଯେ, ଯୁବତୀ ଜଣକ ବୟସ୍କ ଏବଂ ସେ ନିଜ ଇଚ୍ଛାରେ ବିବାହ କରିବାକୁ ରାଜି ହୋଇଥିଲେ।

ଚଳିତ ମାସ ୫ ତାରିଖରେ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତଙ୍କ ଜମାନତ ଖାରଜ କରିଦେଇଥିଲେ । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୬୩, ୩୬୬ଏ, ୩୮୪, ୩୭୬(ଏନ), ୩୮୪ ଓ ଯୌନ ଅପରାଧ ଧାରାରେ ମାମଲା ଦାୟର ହେବା ସହ ଗିରଫ କରାଯାଇଥିଲା ।