ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମନୋଜ ମିଶ୍ରଙ୍କ ପାଇଁ ସୃଷ୍ଟି ହେଲା ଝଡ

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମନୋଜ ମିଶ୍ରଙ୍କ ପାଇଁ ସୃଷ୍ଟି ହେଲା ଝଡ

ଭୁବନେଶ୍ବର: ଓଲିଉଡ କଳି ଏବେ ଚରମସୀମାରେ। ଗୋଟିଏ ପଟେ ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ବ୍ୟକ୍ତି ବିରୋଧ କରୁଥିବା ବେଳେ ଆଉ କିଛି ମନୋଜଙ୍କ ଉପରେ ହୋଇଥିବା ବାସନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଓଡ଼ିଶାରେ ପୂର୍ବ, ପଶ୍ଚିମ ଭଳି କୌଣସି ଦିଗ ନାହିଁ ସମସ୍ତେ ଅଖଣ୍ଡ ଓଡ଼ିଶା ଉପରେ ବିଶ୍ବାସ କରନ୍ତି ବୋଲି କହିଛନ୍ତି। ଓଲିଉଡର କିଛି ପ୍ରଯୋଜକ ମନୋଜ ମିଶ୍ରଙ୍କୁ ବୟକଟ୍ କରିଥିବା ଅଭିଯୋଗ ଆସିବା ପରେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ ଗିଲ୍ଡ (ଓଏଫପିଡିଜି) ଏଭଳି ବୟକଟକୁ ବୁରୋଧ କରିଛି। ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମନୋଜ ମିଶ୍ରଙ୍କ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ ବୋଲି ଗିଲ୍ଡ ପକ୍ଷରୁ କୁହାଯାଇଛି।

ଅଭିନେତାଙ୍କୁ ଚିଠି ଲେଖି ଗିଲ୍ଡ କହିଛି, ଆମେ ଜାଣିବାକୁ ପାଇଛୁ ଯେ କିଛି ପ୍ରଯୋଜକ ଆପଣଙ୍କ ଉପରେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ କଟକଣା ଲଗାଇଛନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ଏହା ଏକ ବୃହତ ଆଞ୍ଚଳିକ ବିବାଦରେ ପରିଣତ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ଆହତ ହୋଇଛନ୍ତି। ଏପରିକି ରାଜନେତାମାନେ ମଧ୍ୟ ଏହି ବିବାଦରେ ସାମିଲ ହୋଇଛନ୍ତି। ଆମ ଓଡ଼ିଶା ଗୋଟିଏ। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କୌଣସି ସ୍ଥାନ ନାହିଁ। ଆମ ଫିଲ୍ମ ଇଣ୍ଡଷ୍ଟ୍ରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଭାବେ ଗୋଟିଏ। ଓଡ଼ିଶାରେ ଯେଉଁ ସବୁ ଭାଷା କୁହାଯାଉଛି, ତାକୁ ଆମେ ସମ୍ମାନ ଜଣାଉଛୁ। ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସମଗ୍ର ଓଡ଼ିଶାର ଉନ୍ନତି ପାଇଁ ଶାନ୍ତି ବଜାୟ ରଖିବାକୁ ଗିଲ୍ଡ ପକ୍ଷରୁ ମନୋଜ ମିଶ୍ରଙ୍କୁ ଅନୁରୋଧ କରାଯାଇଛି।

ଓଏଫପିଡିଜି ସଚିବ ଅରୁଣ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିବା ଦୁର୍ଭାଗ୍ୟଜନକ। ଏହା କରିବା ଉଚିତ୍ ନୁହେଁ। ଏହି କଟକଣାକୁ ସମର୍ଥନ କରୁନାହିଁ ଓଏଫପିଡିଜି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଯଥାଶୀଘ୍ର ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରି ଏକ ପ୍ରେସ୍ ନୋଟ୍ ପ୍ରକାଶ କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ସୁଯୋଗ ମିଳୁନାହିଁ ବୋଲି ଯେଉଁ ସନ୍ଦେହ ସୃଷ୍ଟି ହେଉଛି, ତାହା ଦୂର କରିବା ଦରକାର ବୋଲି ଅରୁଣ ମହାନ୍ତି କହିଛନ୍ତି।

ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ (ୟୁସିସିସି)ର ସଭାପତି ମନୋଜ ମିଶ୍ରଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ସଞ୍ଜୟ ନାୟକ ଘୋଷଣା କରିଛନ୍ତି ଯେ ସମ୍ବଲପୁରରେ ଅରିନ୍ଦମ ଓ ଅନୁଭବଙ୍କ ଅଭିନୀତ ଫିଲ୍ମ ‘ରାମ’କୁ ବିରୋଧ କରିବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବାର ପ୍ରମାଣ ରହିଛି। ପରବର୍ତ୍ତୀ ସମୟରେ ପ୍ରୟୋଜକ ଗୋଷ୍ଠୀ ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛନ୍ତି। ପରେ ଏବେ ସିନେ ପ୍ରଯୋଜକ ସଙ୍ଘ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନୋଜ ମିଶ୍ରଙ୍କ ଉପରେ ହୋଇଥିବା ବୟକଟ ନିଷ୍ପତ୍ତିକୁ ଆପାତତଃ ଉଠାଇ ଦିଆଯିବ ନାହିଁ ବୋଲି ଘୋଷଣା କରିବା ପରେ ଗିଲ୍ଡ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରାଯାଇଛି।