ମାନସ ସ୍ୱାଇଁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ପୋଲିସକୁ ଆଉ ଏକ ସଫଳତା ମିଳିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇକୁ ଆଜି ଗିରଫ କରିଛି ଚାନ୍ଦବାଲି ପୋଲିସ । ଶର୍ମିଷ୍ଠାଙ୍କ ଭାଇଙ୍କୁ ଗିରଫ କରିବା ପରେ ଚାନ୍ଦବାଲି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା କଥା ଜଣାପଡିଛି ।
ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଥିବା ଜଣଙ୍କ ପରେ ଜଣଙ୍କୁ ପୋଲିସ ଗିରଫ କରିଛି । ସୋମବାର ଦିନ ସୂଚନା ଓ ଲୋକ ସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଗିରଫ କରିବା ପରେ ଏବେ ଏହି ମାମଲାରେ ସଂପୃକ୍ତ ଥିବା ଓ ଶର୍ମିଷ୍ଠାଙ୍କୁ ରାଜ୍ୟ ବାହାରକୁ ପଳାଇ ,ଯିବାରେ ସହାୟତା କରିଥିବା ଅଭିଯୋଗରେ ଚାନ୍ଦବାଲି ପୋଲିସ ଶର୍ମିଷ୍ଠାଙ୍କ ଭାଇଙ୍କୁ ଗତକାଲି ବିଜୟୱାଡାରୁ ଧରିବା ପରେ ଆଜି ଚାନ୍ଦବାଲି ପୋଲିସ ତାଙ୍କୁ ଧରି ଚାନ୍ଦବାଲି ଯାଇଥିଲା । ଏହାପରେ ବର୍ତ୍ତମାନ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ଶର୍ମିଷ୍ଠାଙ୍କ ଶାଶୁ କହିଛନ୍ତି କି ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ର ସୁଟିଂ ଅଛି କହି ଘଟଣା ଘଟିବାର ୪ ଦିନ ପର୍ଯ୍ୟନ୍ତ ଶର୍ମିଷ୍ଠା ତାଙ୍କ ଶାଶୁଘର କାଳିଆପାଣିରେ ରହୁଥିଲେ । ଏହାପରେ ୨ ଦିନ ଆଗରପଡା ଯାଇ ତାଙ୍କ ନଣନ୍ଦଙ୍କ ଘରେ ରହିଥିଲେ I ତେବେ ସେଠାରୁ ବାଲେଶ୍ୱର ରେ କାମ ଅଛି କହି ଚାଲି ଯାଇଥିଲେ I ହେଲେ ସେ କେମିତି ରାଜ୍ୟ ବାହାରକୁ ସେ ସମ୍ପର୍କରେ କେହି କିଛି ଜାଣି ନ ଥିବା କହିଛନ୍ତି I