ଭବାନୀପୁର ଆସନରୁ ମମତା ଓ ପ୍ରିୟଙ୍କା ମଧ୍ୟରେ ହେବ ମହାମୁକାବିଲା

ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି । ତୃଣମୂଳ କଂଗ୍ରେସ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ଭବାନୀପୁର ସିଟ୍‌ରୁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅଥାର୍ତ ଭବାନୀପୁରରେ ମମତା-ପ୍ରିୟଙ୍କା ଙ୍କ ହେବ ମହାମୁକାବିଲା । ଗତ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ସେହିପରି ନନ୍ଦୀଗ୍ରାମ ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମଧ୍ୟ ମମତା ପରାଜିତ ହୋଇଥିଲେ Iପରାଜିତ ହେବା ପରେ ଏବେ ପୁଣି ନିଜର ପୂର୍ବ ଆସନ ଭବାନୀପୁରରୁ ଲଢ଼ି ବା ପାଇଁ ପ୍ରାର୍ଥୀ ହୋଇଛନ୍ତି ଦିଦି ।
ପରାଜୟର ସ୍ବାଦ ଚାଖିନଥିବା ଦିଦି କିନ୍ତୁ ନନ୍ଦୀଗ୍ରାମରେ ଶୁଭେନ୍ଦୁଙ୍କ ଦବଦବା ଥିବା ଜାଣି ସୁଦ୍ଧା ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ଏବଂ କମ୍‌ ଭୋଟ ବ୍ୟବଧାନରେ ପରାଜୟର ସାମ୍ନା କରିଥିଲେ । ଏବେ ପୁଣିଥରେ ଉପନିର୍ବାଚନରେ ଦେଖିବାକୁ ମିଳିବ ମହାଲଢେଇ ।

୪୧ ବର୍ଷିୟା ପ୍ରିୟଙ୍କା ଟିବରେଓ୍ବାଲ ପେସାରେ ଜଣେ ଓକିଲ । ସେ ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଏହାପରେ ୨୦୧୫ ମସିହାରେ ବିଜେପିରୁ ପ୍ରାର୍ଥୀ ହୋଇ ଓ୍ବାର୍ଡ ନମ୍ବର ୫୮ରୁ ନଗର ପରିଷଦ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାଜିତ ହେବାକୁ ପଡିଥିଲା । ଏହାପରେ ୨୦୨୦ରେ ତାଙ୍କୁ ପଶ୍ଚିମବଙ୍ଗ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା ।
ଏହାଛଡା ପଶ୍ଚିମବଙ୍ଗ ବିଧାନସଭା ସମୟରେ ଓ ଏହାପରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିଜେପି ସ୍ୱର ଉଠାଇଥିଲା । ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀଙ୍କୁ ଭେଟିଥିଲେ ଦଳର ନେତା । ସେତେବେଳେ ପ୍ରିୟଙ୍କା ବିଜେପି ପକ୍ଷରୁ ହାଇକୋର୍ଟରେ ହିଂସାକାଣ୍ଡକୁ ନେଇ ପିଟିସନ ଦାୟର କରିଥିଲେ । ଆଉ ପ୍ରିୟଙ୍କାକ ପିଟିସନ ଆଧାରରେ ହାଇକୋର୍ଟ ହିଂସା ସହ ଜଡିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏଭଳି କରି ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚ୍ୟାଲେଞ୍ଜ କରିଥିଲେ । କାରଣ ପଶ୍ଚିମବଙ୍ଗରେ କୌଣସି ହିଂସାକାଣ୍ଡ ହୋଇନଥିବା ନେଇ ମମତା କହୁଥିବା ବେଳେ ହାଇକୋର୍ଟରେ ପିଟିସନ ଦାୟର କରି ମମତାଙ୍କ ଚିନ୍ତାକୁ ବଢାଇ ଦେଇଥିଲେ ।
ମମତାଙ୍କ ପାଇଁ ଭବାନୀପୁର ଉପ-ନିର୍ବାଚନ ଜିତିବା ନିହାତି ଆବଶ୍ୟକ । ନଚେତ ମମତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଆସନ ଖସି ଯାଇପାରେ । କାରଣ ବିଧାୟକ ନଥାଇ ମଧ୍ୟ ଯଦି କେହି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡିଥାଏ । ତେଣୁ ଉଭୟ ମମତା ଓ ଟିଏମସି ପାଇଁ ଏହି ଉପ-ନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି । ଅନ୍ୟପଟେ ଶାସନ କ୍ଷମତାରୁ ମମତାଙ୍କୁ ହଟାଇବାକୁ ବିଜେପି ପାଇଁ ଏହା ସବୁଠୁ ବଡ ସୁଯୋଗ । ଯେଉଁଥିପାଇଁ ପୂରା ଋଣନୀତି ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେପି । ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ପୂର୍ବରୁ କେବଳ ଭବାନୀପୁର ଆସନ ପାଇଁ ସାଂସଦ ଅର୍ଜୁନ ସିଂହଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ଅର୍ଜୁନଙ୍କ ସହ ସାଂସଦ ସୌମିତ୍ର ଖାନ୍ ଓ ଜ୍ୟୋର୍ତିମୟ ସିଂଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ ।ଏପରିକି ବୁଥ୍ ସ୍ତରରେ ଭୋଟ ଜଗିବାକୁ ଦଳ ୮ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ବାଣ୍ଟିଛି ।
ଭବାନୀପୁର ଆସନ ପାଇଁ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ବାମମୋର୍ଚ୍ଚାରୁ ଶ୍ରୀଜୀବ ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି । ଭବାନୀପୁର ଆସନ ସହ ପଶ୍ଚିମବଙ୍ଗର ଆଉ ଦୁଇ ବିଧାନସଭା ଆସନ ଶମସେରଗଞ୍ଜ ଓ ଜାଙ୍ଗିପୁରରେ ମଧ୍ୟ ନିର୍ବାଚନ ହେବ । ତେବେ ଭବାନୀପୁରରୁ ଆଜି ନାମାଙ୍କନପତ୍ର ଦାଖଲ କରିବେ ମମତା ।

Comments (0)
Add Comment