ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଧର୍ମ ପରିବର୍ତ୍ତନ କଲେ ମିଳିବନି ଆରକ୍ଷଣ

ନୂଆଦିଲ୍ଲୀ: ଧର୍ମାନ୍ତରଣ ଏବଂ ଆରକ୍ଷଣ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ସୁଦୂରପ୍ରସାରୀ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ହିନ୍ଦୁ ଧର୍ମରୁ ଇସଲାମ୍ ଧର୍ମ ଗ୍ରହଣ କରୁଥିବା କୌଣସି ବ୍ୟକ୍ତିଙ୍କୁ ସେମାନଙ୍କର ପୂର୍ବ ଜାତି କିମ୍ବା ବର୍ଗ ସ୍ଥିତି ଆଧାରରେ ପଛୁଆ ବର୍ଗ ଅଧୀନରେ ଆରକ୍ଷଣ ମିଳିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ଧର୍ମାନ୍ତରିତ ମୁସଲମାନମାନଙ୍କୁ ଆରକ୍ଷଣ ପ୍ରଦାନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ଖାରଜ କରି ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ର ଏବଂ ନ୍ୟାୟମୂର୍ତ୍ତି ଶ୍ରୀ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, କୌଣସି ବ୍ୟକ୍ତି ହିନ୍ଦୁ ସାମାଜିକ ବ୍ୟବସ୍ଥା ଛାଡ଼ି ଅନ୍ୟ କୌଣସି ଗୋଷ୍ଠୀରେ ସାମିଲ ହେବା ପରେ, ତାଙ୍କର ପୂର୍ବ ସାମାଜିକ ଅନଗ୍ରସରତା ନୂତନ ସାମାଜିକ ବ୍ୟବସ୍ଥାକୁ ସ୍ୱୟଂଚାଳିତ ଭାବେ ସ୍ଥାନାନ୍ତରିତ ହୋଇପାରିବ ନାହିଁ। ଇସଲାମ୍ ଭଳି ଅଣ-ହିନ୍ଦୁ ଗୋଷ୍ଠୀକୁ ଧର୍ମାନ୍ତରିତ ହେବା ଦ୍ୱାରା ନିଜେ ନିଜେ କୌଣସି ନିର୍ଦ୍ଦିଷ୍ଟ ପଛୁଆ ଜାତିର ସଦସ୍ୟତା ପ୍ରାପ୍ତ ହୁଏ ନାହିଁ। ତେଣୁ କେବଳ ଧର୍ମାନ୍ତରଣକୁ ଆଧାର କରି ଜଣେ ବ୍ୟକ୍ତି ପଛୁଆ ବର୍ଗ (ମୁସଲିମ୍) ଶ୍ରେଣୀରେ ଆରକ୍ଷଣ ଦାବି କରିପାରିବେ ନାହିଁ।