ଏୟାରବେସରେ ବଡ଼ ଦୁର୍ଘଟଣା: ବାୟୁସେନାର AN-32 ବିମାନ କ୍ରାଶ୍, ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଆସାମର ଜୋରହାଟସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନରେ ଶନିବାର ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ‘AN-32’ ପରିବହନ ବିମାନ  ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଭାରତୀୟ ବାୟୁସେନା (IAF) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, AN-32 ବିମାନଟି ଜୋରହାଟ ଏୟାରବେସରେ ଲ୍ୟାଣ୍ଡିଂ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ରନୱେ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣା ସମ୍ପର୍କରେ ଜଣେ ବାୟୁସେନା ଅଧିକାରୀ କହିଛନ୍ତି, “ବର୍ତ୍ତମାନ ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।” ସୂଚନାଯୋଗ୍ୟ ଯେ, ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ବାୟୁସେନାର ଜରୁରୀକାଳୀନ ଦଳ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Major accident at Airbus: Air Force AN-32 aircraft crashes