ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ରାଜ୍ୟ ଡିଜିପି ରଶ୍ମୀ ଶୁକ୍ଲାଙ୍କୁ ସ୍ଥାନାନ୍ତର କରାଯାଇଛି। ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳର ଅଭିଯୋଗକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଡିଜିପି ରଶ୍ମି ଶୁକ୍ଲାଙ୍କୁ ତୁରନ୍ତ କାର୍ଯ୍ୟକାରୀ କରି ସ୍ଥାନାନ୍ତରକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ କ୍ୟାଡରର ପରବର୍ତ୍ତୀ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ମୁମ୍ବାଇ କମିଶନର ବିବେକ ଫାନ୍ସଲକରଙ୍କୁ ମହାରାଷ୍ଟ୍ର ଡିଜିପିଙ୍କ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଆଗାମୀ ଡିଜିପି ଚୟନ ପାଇଁ ମୁଖ୍ୟ ଶାସନ ସଚିବ ଲାଗି ପଡିଛନ୍ତି। ପ୍ରକୃତରେ, ମୁଖ୍ୟ ସଚିବଙ୍କୁ ମହାରାଷ୍ଟ୍ରର ଡିଜିପି ପଦରେ ନିଯୁକ୍ତି ପାଇଁ ନଭେମ୍ବର 5 ତାରିଖ 2024 (ଅପରାହ୍ନ 1.00) ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ତିନିଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇବାକୁ ପଡିବ।