ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ: ଦୁଇ ବର୍ଷ ପରେ ଦୁର୍ଲଭ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ

ବନକ ଲାଗିନୀତି ପରେ ଅଣସର ଘରୁ ବାହାରି ଆଜି ନବଯୌବନ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ I ଏହି ଅବସରରେ ମହାପ୍ରଭୁ ଙ୍କ ଦୁର୍ଲଭ ବେଶ ଦର୍ଶନ ନିମନ୍ତେ ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପୂର୍ବାହ୍ନରୁ ଶ୍ରଦ୍ଧାଳୁମାନେ ଧାଡିରେ ଆସି ଶୃଙ୍ଖଳିତ ଦର୍ଶନ କରୁଛନ୍ତି । କୋଭିଡ୍ ଯୋଗୁଁ ଦୁଇବର୍ଷ ହେଲା ଭକ୍ତ ଏହି ଦୁଲ୍ଲର୍ଭ ଦର୍ଶନରୁ ବଞ୍ଚିତ ରହିଥିଲେ । ହେଲେ ଚଳିତ ବର୍ଷ ଠାକୁରଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ ।
ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ପରମ କାରୁଣିକ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ଆଜି ସକାଳେ ମହାପ୍ରଭୁଙ୍କ ଚକା ଅପସର ନୀତି ପରେ ମଙ୍ଗଳ ଆଳତି, ମଇଲମ ଓ ଅବକାଶ ନୀତି ସରିବା ପରେ ଦଶଅବତାର ପଟିଦିଅଁ ଦକ୍ଷିଣି ଘରକୁ ବାହୁଡା ବିଜେ କରିବା ପରେ ତାଟି ଫିଟିଥିଲା । ଏହାପରେ ଆରମ୍ଭ ହୋଇଥିଲା ନବଯୌବନ ଦର୍ଶନ।
ପ୍ରଥମେ ଟିକେଟଧାରୀ ମାନେ ବ୍ୟାରିକେଡ଼ରେ ଯାଇ ସିଂହଦ୍ୱାର ପଟେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନ୍ୟ ତିନି ଦ୍ୱାର ପଟେ ପ୍ରସ୍ତାନ କରିଥିଲେ । ଟିକେଟ ଧାରୀଙ୍କ ଦର୍ଶନ ପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ପ୍ରବଳ ଖରା ସତ୍ୱେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ଧରି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଥିବାରୁ ଚଳିତବର୍ଷ ଭକ୍ତମାନେ ମହାପ୍ରଭୁଙ୍କୁ ଏହି ଅପରୂପ ନବଯୌବନ ରୂପ ଦର୍ଶନ କରି କୃତ୍ୟ କୃତ୍ୟ ମନେ କରିଛନ୍ତି ।
ତେବେ ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି । ବୁଧବାର ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ଏକ ଘଣ୍ଟା ପରମାଣିକ ଦର୍ଶନ ଚାଲୁ ରହିଥିଲା । ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେଲା । ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନର ବ୍ୟବସ୍ଥା କରାଯାଇଛି । ତେବେ ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ଟାରୁ ଦିନ ୨ଟା , ୩ଟାରୁ ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।