ଭୁବନେଶ୍ୱର: ଦିଲ୍ଲୀରେ ଜୁନ୍ ୧୬ରୁ ୨୬ ପର୍ଯ୍ୟନ୍ତ ମହାନଦୀ ପାଇଁ ହେବ ଆଲୋଚନା । ଆଡଭୋକେଟ୍ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ଆଜି ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି ସମୟରେ ଦୁଇ ରାଜ୍ୟ ଛତିଶଗଡ଼ ଏବଂ ଓଡ଼ିଶା ପକ୍ଷରୁ ଦୁଇ ରାଜ୍ୟ ଭିତରେ ଓ୍ବାଟର ସେୟାରିଂ ବା ଜଳ ବଣ୍ଟନ ନେଇ ବିସ୍ତୃ୍ତ ଆଲୋଚନା ପାଇଁ ଅପିଲ କରିଥିଲୁ। ଟ୍ରିବ୍ୟୁନାଲଙ୍କ ଅନୁମତି କ୍ରମେ ଆସନ୍ତା ଜୁନ୍ ୧୬ରୁ ୨୬ ତାରିଖ ଅର୍ଥାତ ୧୧ ଦିନ ଧରି ଦିଲ୍ଲୀରେ ଉଭୟ ରାଜ୍ୟର ଟେକ୍ନିକାଲ ଟିମ୍ ଏବଂ ଲିଗାଲ ଟିମ୍ ମୂଳ ବିଷୟକୁ ନେଇ ବିଶଦ ଭାବେ ଆଲୋଚନା କରିବେ। ଦରକାର ପଡ଼ିଲେ ସେଥିରେ CWCର ସହାୟତା ନିଆଯିବ। ଦୁଇ ରାଜ୍ୟର ଓ୍ବାଟର ଏକ୍ସପର୍ଟମାନେ ଏନେଇ ଆଲୋଚନା କରିବେ । ସେ ଆହୁରି କହିଛନ୍ତି ଯେ, ମହାନଦୀ ଜଳ ଉପରେ ଓଡ଼ିଶାର ପ୍ରାପ୍ୟ କେତେ, ଛତିଶଗଡ଼ର ପ୍ରାପ୍ୟ କେତେ, ସେହି ମୂଳ ବିଷୟବସ୍ତୁ ଉପରେ ବର୍ତ୍ତମାନ ସିଧାସଳଖ ଦୁଇ ରାଜ୍ୟର ବୈଷୟିକ କମିଟି ଆଲୋଚନା କରିବେ। ତେଣୁ ଏହି ଆଲୋଚନାର ଫଳାଫଳକୁ ଟ୍ରିବ୍ୟୁନାଲ ପାଖରେ ଆମେ ଦାଖଲ କରିବୁ। ଦୁଇ ରାଜ୍ୟର ସରକାରଙ୍କ ଶୀର୍ଷ ସ୍ତରରେ ମଧ୍ୟ ଆଲୋଚନା କରାଯିବ। ଏହାପରେ ମହାନଦୀ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି ଜୁନ୍ ୨୭ରେ କରିବେ। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ ଏମ୍ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।