୫୦ ବର୍ଷ ତଳେ ପଢ଼ିଥିବା ସ୍କୁଲ ସ୍ମୃତିକୁ ସାଉଁଟିଲେ ମହାମହିମ : ହଷ୍ଟେଲ ଖଟରେ ବସି ହେଲେ ଭାବବିହ୍ୱଳ

ଭୁବନେଶ୍ୱର: ପଚାଶ ବର୍ଷ ତଳେ ସୁଦୂର ମୟୂରଭଞ୍ଜର ଆଦିବାସୀ ଅଞ୍ଚଳରୁ ଆସି ରାଜଧାନୀର ଛାତି ଉପରେ ଥିବା ୟୁନିଟ୍‌-୨ କ୍ୟାପିଟାଲ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍କୁଲ ପରିସରରେ ଥିବା କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହୁଥିଲେ । ହେଲେ ଆଜି ସେଇ ସ୍ମୃତି ବିଜଡ଼ିତ ହଷ୍ଟେଲର ଖଟ ଉପରେ ବସି ଭାବବିହ୍ୱଳ ହୋଇଥିଲେ ମହାମହିମ ।
ଶୁକ୍ରବାର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୂର୍ବାହ୍ନ ସାଢ଼େ ୯ରେ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ । ବିଦ୍ୟାଳୟରେ ଅପେକ୍ଷାରତ ଛାତ୍ରୀମାନେ ତାଳିମାରି ଓ ବ୍ୟାଣ୍ଡ୍ ବଜାଇ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ‘ମୋ ସ୍କୁଲ’ ବାଲୁକା କଳାକୁ ଉନ୍ମୋଚନ କରବା ପରେ ପିଲାଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଥିଲା । ଛାତ୍ରୀମାନେ ଜନଜାତି ନୃତ୍ୟ ପରିବେଷଣ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜନଜାତି ନୃତ୍ୟ ପରିବେଷଣ କରିଥିବା ବିଦ୍ୟାଳୟର ଛାତ୍ରୀଙ୍କ ସହ ଫଟୋ ଉଠାଇଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ସେ ପଢ଼ୁଥିବା ବେଳର ନାମଲେଖା ରେଜିଷ୍ଟ୍ରର ଉପହାର ଦିଆଯାଇଥିଲା । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ସହପାଠିନୀଙ୍କ ସହ ଫଟୋ ଉଠାଇଥିଲେ ।
ଶ୍ରୀମତୀ ମୁର୍ମୁ ସ୍କୁଲ ସନ୍ନିକଟ କୁନ୍ତଳା କୁମାରୀ ସାବତ ଜନଜାତି ଛାତ୍ରୀନିବାସକୁ ଚାଲି ଚାଲି ଯାଇଥିଲେ । ହଷ୍ଟେଲର ଅନ୍ତେବାସିନୀମାନେ ସ୍ୱାଗତ ସଂଗୀତ ଗାନ କରି ସ୍ୱାଗତ କରିଥିଲେ । ହଷ୍ଟେଲର ପରିଦର୍ଶକ ପୁସ୍ତିକାରେ ସେ ମନ୍ତବ୍ୟ ଦେଇ ସ୍ୱାକ୍ଷର କରିଥିଲେ । ହଷ୍ଟେଲର ଅନ୍ତେବାସିନୀ ଛାତ୍ରୀମାନେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ତାଙ୍କ ପିଲାବେଳର ଫଟୋ ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବର୍ତ୍ତମାନର ପ୍ରତିଛବି ଉପହାର ଦେଇଥିଲେ । ଏହି ଛାତ୍ରୀନିବାସର ତୁଳସୀ ମୁଣ୍ଡା ବ୍ଲକ୍‌ର ୬ ନମ୍ବର ପ୍ରକୋଷ୍ଠରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରହି ପାଠ ପଢ଼ୁଥିଲେ । ସେହି ପ୍ରକୋଷ୍ଠରେ ତାଙ୍କ ହଷ୍ଟେଲ୍ ବେଳର ଖଟରେ ରାଷ୍ଟ୍ରପତି କିଛି ସମୟ ବସିଥିଲେ । ହଷ୍ଟେଲ୍ ପରିସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବଉଳ ଗଛର ଚାରା ରୋପଣ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥୀ ଏସ୍‌, ରାଜ୍ୟ ପ୍ରକଳ୍ପ (ଓସେପା) ନିର୍ଦ୍ଦେଶକ ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ମହାପାତ୍ର, ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ରାଜଭବନ ପ୍ରତ୍ୟାବର୍ତ୍ତନ କରିଥିଲେ ।