ମହାଦେବ ମୁଣ୍ଡା ନୂଆ ଓ ପ୍ରଗତିଶୀଳ ଭାରତର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ 

କୁଣ୍ଡୁକେଲା, ନଭେମ୍ବର ୨୨ – ମୋଦି ସରକାରରେ ବିକଶିତ ଭାରତର ମୂଳଦୁଆ ସ୍ଥାପନ ହୋଇଛି । ଆଜି ସ୍ଥାନୀୟ ସ୍ଥାନୀୟ ଅଞ୍ଚଳର ଜନଜାତି ସମ୍ପ୍ରଦାୟର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦି ସରକାର ପଠାଉଥିବା ମନରେଗା ଟଙ୍କା ପାଉଛନ୍ତି, ଏହା ହିଁ ନୂଆ ଓ ପ୍ରଗତିଶୀଳ ଭାରତ ବୋଲି ବୁଧବାର ସୁନ୍ଦରଗଡ଼ ଜିଲ୍ଲାର କୁଣ୍ଡୁକେଲାରେ ଆୟୋଜିତ  ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସରୁ ପାରମ୍ପରିକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଚେତନତା ରଥ ମାଧ୍ୟମରେ ଏଭଳି ଅଭିନବ ବ୍ୟାପକ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ମୋଦି ସରକାରଙ୍କ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରଶଂସନୀୟ । ଦେଉଳି ପଞ୍ଚାୟତର ମହାଦେବ ମୁଣ୍ଡା ମନରେଗା ଯୋଜନାର ଲାଭାର୍ଥୀ ଅଟନ୍ତି । ଏହି ଯୋଜନାରେ ଶହେ କାମ କରି ସେ ନିଜ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇପାରୁଛନ୍ତି । ଅତି ସହଜରେ ସ୍ମାର୍ଟ ଫୋନ ମାଧ୍ୟମରେ ତା’ର ତଥ୍ୟ ପାଉଛନ୍ତି । ସେ ହିଁ ନୂଆ ଭାରତର ଚେହେରା । ଏ ହିଁ ଆଗାମୀ ଦିନରେ ନେତୃତ୍ୱ ନେବେ ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ଆସିଛି । ମୋଦି ସରକାର ଓଡ଼ିଶାକୁ ଆବାସ ଯୋଜନାରେ ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର ପ୍ରଦାନ କରିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ୭୭ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟରେ ୫୩ ଲକ୍ଷ ଗରିବ ମାଆ ମାନଙ୍କ ଘରେ ଗ୍ୟାସ ସଂଯୋଗ ହୋଇଛି । ଖଣି ରାଜସ୍ୱ ୫ ହଜାର କୋଟି ରୁ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ଡିଏମଏଫ ଫଣ୍ଡ ଗଠନ କରି ସ୍ଥାନୀୟ ଜନଜାତିଙ୍କ ବିକାଶ କଥା ଚିନ୍ତା କରିଛନ୍ତି । ସୁନ୍ଦରଗଡ ଜିଲ୍ଲାକୁ ଡିଏମଏଫ୍ ବାବଦକୁ ବାର୍ଷିକ ୧ ହଜାରରୁ ୧୨୦୦ କୋଟି ଟଙ୍କା ଆସୁଛି ।  

ମୋଦି ସରକାରରେ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ପ୍ରଚାର ପ୍ରସାର ବ୍ୟାପକ ହୋଇଛି । ମନରେଗାରେ ସ୍ଥାନୀୟ ଅଞ୍ଚଳର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦି ସରକାର ପଠାଉଥିବା ଅର୍ଥ ପାଉଛନ୍ତି । ମୋ ସରକାର ଗରିବ ଓ ସାଧାରଣ ଲୋକଙ୍କ ପାଇଁ ସମର୍ପିତ ରହିଥିବା କଥାକୁ ପ୍ରଧାନମନ୍ତ୍ରୀ କ୍ରିୟାନ୍ୱୟନ କରି ଦେଖାଇଛନ୍ତି । ମୋଦି ଦିଲ୍ଲୀରୁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଡିବିଟି ମାଧ୍ୟମରେ ପଠାଉଥିବା ଟଙ୍କାର ପ୍ରକ୍ରିୟାରେ ପାରଦର୍ଶୀତା ଆସିଛି । ଶତପ୍ରତିଶତ ସୁବିଧା ଯୋଗାଇ ଦିଆଯାଉଛି ।  ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ଜନଜାତି ସମେତ ସବୁ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ଓ ଜନକଲ୍ୟାଣକାରୀ ଯୋଜନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦରକାର । ତେବେ ଯାଇ ଆମ ବିକଶିତ ଭାରତର ଯାତ୍ରା ପ୍ରଶସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ । ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟିଥିଲେ । ବୃକ୍ଷରୋପଣ ସହ ପ୍ରଦର୍ଶିତ ଷ୍ଟଲ୍ ବୁଲିବା ସହ ଏହାର ପ୍ରଶଂସା କରିଥିଲେ ।