ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍‌

ଦେଶରେ ଲାଗି ରହିଥିବା ଦରଦାମ ବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହେଉଥିବାବେଳେ ଏବେ ପୁଣି ବଢିଛି ଏଲପିଜି ସିଲିଣ୍ଡର ଦାମ୍‌। ଯାହାଦ୍ୱାରା ଖାଉଟି ମାନେ ଚିନ୍ତାରେ ପଡ଼ିଛନ୍ତି । ବର୍ତ୍ତମାନ ସାରା ଦେଶରେ ରନ୍ଧନ ଗ୍ୟାସର ଦାମ୍‌ ୧୦୦୦ ଟଙ୍କା ଉପରେ ରହିଥିବା ବେଳେ ପୁଣି ସିଲିଣ୍ଡରର ଦାମ୍‌ ବୃଦ୍ଧି କରାଯାଇଛି। ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢିଛି।

ପୂର୍ବରୁ ଭୁବନେଶ୍ୱରରେ ଏଲପିଜି ଦର ୧ ହଜାର ୭୯ ଟଙ୍କା ଥିଲା। ଏବେ ୫୦ ଟଙ୍କା ବଢି ୧୧ ଶହ ୨୯ ଟଙ୍କା ହୋଇଛି। ସେହିପରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ବଢି ୧୧୦୩ ଟଙ୍କା ହୋଇଛି। ସେହିପରି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ମଧ୍ୟ ୩୫୦ ଟଙ୍କା ୫୦ ପଇସା ବଢିଛି। ଦର ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ନାହଁନଥିବା ଅସନ୍ତୋଷ ଦେଖାଇଛି।

ଏଥିଯୋଗୁ ଘରର ବଜେଟ ବିଗିଡ଼ିଯିବା ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଶେଷଥର ପାଇଁ ଗତ ବର୍ଷ ଜୁଲାଇ ମାସରେ ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଥିଲା ।