ଭୁବନେଶ୍ବର: ରାତି ପାହିଲେ ବାହୁଡ଼ିବେ କାଳିଆ ସାଆନ୍ତ। ଆଜି ଆଡ଼ପ ଦର୍ଶନର ଅନ୍ତିମ ଦିବସ ହୋଇଥିବାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମୁଦ୍ର ପରିଲକ୍ଷିତ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ସମାଗମ ଯୋଗୁଁ ସାରା ପୁରୀ ସହର ଭକ୍ତିମୟ ହୋଇଉଠିଛି। ସୂଚନାଯୋଗ୍ୟ, ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ନୀତିକାନ୍ତି ଓ ପ୍ରସ୍ତୁତି ପାଇଁ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଟିକେଟଧାରୀମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। ଅପରପକ୍ଷରେ ସେବାୟତ ପରିବାରର ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସୁବିଧା କରାଯାଇଛି। ସନ୍ଧ୍ୟା ୬ଟାରେ ଦର୍ଶନ ବନ୍ଦ ହେବା ପରେ ମଧ୍ୟ ଆନନ୍ଦବଜାରକୁ ଯିବାଆସିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଖୋଲା ରହିବ। ରାତି ୧୨ଟା ପର୍ଯ୍ୟନ୍ତ ଆଡ଼ପ ଅବଢ଼ା ଉପଲବ୍ଧ ହେଉଥିବାରୁ ଭକ୍ତମାନେ ନାକଚଣା ଦ୍ୱାର ଦେଇ ଆନନ୍ଦବଜାରରୁ ମହାପ୍ରସାଦ ସେବନ ଓ କ୍ରୟ କରିପାରିବେ।