ପୁରୀ: ମହାପ୍ରଭୁଙ୍କ ଅଣସର ନୀତିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଉପଚାର ପାଇଁ ଅଣସର ଗୃହରେ ପାରମ୍ପରିକ ‘ଫୁଲୁରୀ ତେଲ’ ଲାଗି ନୀତି ସମ୍ପନ୍ନ ହୋଇଛି। ଏହି ଗୁପ୍ତ ସେବା ପରେ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ବର୍ତ୍ତମାନ ଅଣସର ନୀତି ଅନୁଯାୟୀ ଦଇତାପତି ସେବକମାନେ ମହାପ୍ରଭୁଙ୍କ ନିକଟରେ ଓଷଧ ସ୍ୱରୂପ ପଣା ଓ ଚକଟା ଭୋଗ ଲାଗି କରୁଛନ୍ତି। ପରମ୍ପରା ମୁତାବକ, ପ୍ରତିବର୍ଷ ବଡ଼ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ସେବା ପାଇଁ ଏହି ସ୍ୱତନ୍ତ୍ର ତେଲ ଯୋଗାଇ ଦିଆଯାଇଥାଏ। ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ସୁଗନ୍ଧିତ ପୁଷ୍ପ ଓ ୭ ପ୍ରକାର ଔଷଧୀୟ ଚେରମୂଳ ମିଶାଇ ଏହାକୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମାଟିତଳେ ପୋତି ରଖାଯାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହାକୁ ବାହାର କରାଯାଇ ଅଣସରର ପଞ୍ଚମ ଦିନ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ। ଫୁଲୁରୀ ତେଲ ଲାଗି ହେବା ପରେ ମହାପ୍ରଭୁ ଜ୍ୱରରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ଜଣାପଡ଼ିଛି।