ନୂଆ ରୂପ ନେବ ଲୋକନାଥ ଓ ଅଲାରନାଥ ପୀଠ

ଭୁବନେଶ୍ୱର: ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ଶ୍ରୀଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଓ ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଉଭୟ ମନ୍ଦିରର ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ ।
ସୋମବାର ଉଭୟ ମନ୍ଦିରର ପୂଜକମାନେ ପୁରୀ ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଯାଇ ଦର୍ଶନ କରିବେ ବୋଲି କହିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ଶ୍ରୀଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଶୈବପୀଠ । ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ୱେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାଅର୍ଚ୍ଚନା କରିଥିଲେ । ଶ୍ରୀ ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ରକ୍ଷକ ବୋଲି ବିଶ୍ୱାସ ରହିଛି । ଶ୍ରୀଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିରର ଭିତର ବେଢ଼ା, ବାହାର ବେଢ଼ାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡି ପରିଚଳନା ବ୍ୟବସ୍ଥା, ଆପ୍ରୋଚ ରୋଡର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ୱାରରେ ସେବାୟତ ମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ । ଭିତର ବେଢାରେ ପୁରୁଣା ମାର୍ବଲ ପଥର ସବୁ କଢ଼ାଯାଇ ଖଣ୍ଡୋଲାଇଟ୍‌ସ ପଥର ଲଗାଯିବ । ମନ୍ଦିରର ବଗିଚାର ଉନ୍ନତିକରଣ କରାଯାଇ ଲ୍ୟାଣ୍ଡସ୍କେପିଙ୍ଗ କରାଯିବ । ଏହାଛଡ଼ା ମନ୍ଦିର ପାଚେରୀର ମରାମତି ସହିତ ଆଲୋକୀକରଣର ବ୍ୟବସ୍ଥା କରାଯିବ । ବାହାର ବେଢ଼ାକୁ ସଂପ୍ରସାରିତ କରାଯିବା ସହିତ ଭାଙ୍ଗିଯାଇଥିବା ସ୍ଥାନ ଗୁଡ଼ିକର ମରାମତି, ନୂତନ ରାସ୍ତା, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ, ବସାଉଠା କରିବାପାଇଁ ସ୍ଥାନ ଓ ଦୁଇଟି ମୁଣ୍ଡନ ମଣ୍ଡପର ବିକାଶ କରାଯିବ । ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ ମନ୍ଦିର ଭିତର ଓ ବାହାର, ଉଭୟ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯିବ । ମନ୍ଦିରର ପୁଷ୍କରଣୀ ପାର୍ବତୀସାଗର (କୁର୍ମପୋଖରି)ର ମଧ୍ୟ ଉନ୍ନତିକରଣ କରାଯିବ । ଏହାର ଚାରିପଟେ ୨୬୭ ମିଟରର ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ୍ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ । ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ମନ୍ଦିରକୁ ଯାଇଥିବା ୪୦୦ ମିଟର ଆପ୍ରୋଚ ରୋଡର ଉନ୍ନତିକରଣ କରାଯିବା ସହିତ ୪ଟି ରାସ୍ତାର ବିକାଶ କରାଯିବ । ମନ୍ଦିରକୁ ସଂଯୋଗ ହୋଇଥିବା ୪ଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ମଧ୍ୟ କରାଯିବ । ସେହିପରି ବ୍ରହ୍ଣଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ମଧ୍ୟ ବିକାଶ କରାଯିବ । ସାତପଡ଼ା ରାସ୍ତାରେ ପୁରୀଠାରୁ ୨୪ କିମି ଯିବା ପରେ ଏହି ପୀଠ ପଡ଼ିଥାଏ । ଏହା ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀରେ ନିର୍ମିତ ହୋଇଥିବା ସୂଚନା ମିଳେ । ଶ୍ରୀଅଲାରନାଥଙ୍କୁ ଶ୍ରୀଜଗନ୍ନାଥଙ୍କର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତମାନେ ଯାଇଥାନ୍ତି । ମାଷ୍ଟର୍‌ପ୍ଲାନ ଅନୁଯାୟୀ ଏହାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସ୍ଥାନୀୟ ଭିତର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ପୁରା ଅଞ୍ଚଳକୁ ବିକଶିତ କରାଯାଇ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ । ଏହାର ପ୍ରବେଶ ଦ୍ୱାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ ଚଉଡ଼ା ଓ ୧୮ ଫୁଟ୍ ଉଚ୍ଚ କରାଯିବ । ଏଥିରେ ଖଣ୍ଡୋଲାଇଟସ୍ ପଥର ଲଗାଯିବ । ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡ଼ା କରାଯାଇ ଏଥିରେ ପେଭର ବ୍ଲକ ଲଗାଯିବ ଏବଂ ଦୁଇପଟେ ଡ୍ରେନର ବ୍ୟବସ୍ଥା ରହିବ । ଏହାସହିତ ୨ ଚକିଆ ଓ ୪ ଚକିଆ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ମନ୍ଦିର ସମ୍ମୁଖ ସ୍ଥାନକୁ ଏକ ସୁନ୍ଦର ପ୍ଲାଜାରେ ପରିଣତ କରାଯାଇ ସେଥିରେ ଖଣ୍ଡୋଲାଇଟ୍‌ସ ଓ ପେଭର ବ୍ଲକ ଲଗାଯିବା ସହିତ ଡ୍ରେନ ବ୍ୟବସ୍ଥା ମଧ୍ୟ କରାଯିବ । ମନ୍ଦିରର ସବୁ ସ୍ଥାନରୁ ମାର୍ବଲ କଢ଼ାଯାଇ ଖଣ୍ଡୋଲାଇଟ୍‌ସ ଲଗାଯିବ । ପୁରୁଣା କବାଟ ବଦଳରେ ନୂଆ କାଠ କବାଟ ଲଗାଯିବ । ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ କରାଯାଇ ଲ୍ୟାଣ୍ଡ ସ୍କେପିଂ କରାଯିବ । ଡ୍ରେନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଏହି ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଓ କାମ ସଂପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ତ୍ତ ବିଭାଗ ସଚିବ ଭିଭିକେ ଯାଦବ ଏଥିପାଇଁ ଉପସ୍ଥାପନା ରଖିଥିଲେ । ଓଡ଼ିଶା ବ୍ରିଜ କନ୍‌ଷ୍ଟ୍ରକସନ କର୍ପୋରେସନ ଦ୍ୱାରା ଉଭୟ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କରାଯିବ । ଉଭୟ ମନ୍ଦିର ଗସ୍ତ ସମୟରେ ସେବାୟତମାନଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ ସେ ବୈଠକରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।