ଲୋକସେବା ଭବନ ପରିସର ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ:ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ,

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟର ସୁରକ୍ଷା ସହିତ ସ୍ୱଚ୍ଛ ତଥା ସୁସ୍ଥ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି କରିବା ଏବଂ ତମାଖୁର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ବର୍ତ୍ତମାନଠାରୁ ଲୋକସେବା ଭବନ ପରିସର ଭିତରେ ଧୂମପାନ କରିବା, ଯେକୌଣସି ପ୍ରକାର ତମାଖୁ ସେବନ କରିବା ଏବଂ ତମାଖୁ ଖାଇ ଛେପ ପକାଇବାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି। ଯଦି କେହି ଏହି ନିୟମକୁ ଅମାନ୍ୟ କରନ୍ତି, ତେବେ ତାହାକୁ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ l ଏହି ପଦକ୍ଷେପ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟରେ ତମାଖୁ ସେବନ ବିରୋଧୀ ଅଭିଯାନକୁ ବ୍ୟାପକ କରାଯାଉଛି। ଆଗାମୀ ପିଢ଼ିକୁ ଏକ ସୁରକ୍ଷିତ ଏବଂ ସୁସ୍ଥ ଭବିଷ୍ୟତ ଦେବା ପାଇଁ ଆମର ଏହି ପ୍ରୟାସ ଜାରି ରହିବ।