ଅନୁଗୋଳ ଓ ଢ଼େଙ୍କାନାଳରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ହେଉଥିବା କାମର ତଦାରଖ ଦାୟିତ୍ୱ ସ୍ଥାନୀୟ ଯୁବକ ନିଅନ୍ତୁ –ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ/ଢ଼େଙ୍କାନାଳ, ଅକ୍ଟୋବର ୦୬ – ପବିତ୍ର ବିଜୟା ଦଶମୀ ଓ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ବୁଧବାର ତାଳଚେର ଦେଉଳବେଡା ତେଲିସାହି ଠାରେ ମହାନଦୀ କୋଲ ଫିଲ୍ଡ(ଏମସିଏଲ) ଦ୍ୱାରା ନିର୍ମାଣ ହେବାକୁ ଥିବା କମ୍ୟୁନିଟି ସେଣ୍ଟର ବା ସାମୁଦାୟିକ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ଦେବା ସହ ସେଠାରେ ଏକ ମୁଖ୍ୟ ଫାଟକର ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ସାମୁଦାୟିକ କେନ୍ଦ୍ର ତଥା କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ବିବିଧ ପର୍ବ ପର୍ବାଣୀରେ ଏହା ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଭାବେ ସହାୟକ ହେବ ଓ ଗ୍ରାମବାସୀମାନେ ଏହାର ସୁବିଧା ନେଇପାରିବେ । ଏହି କାମକୁ ଶୀଘ୍ର ସାରିବାକୁ ଏମସିଏଲର ଅଧିକାରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ଆଗାମୀ ୨୫ ବର୍ଷ ସୁଦ୍ଧା ଦେଖିଥିବା ‘ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ତାଳଚେର ଓ ଅନୁଗୋଳ ଏବଂ ଢ଼େଙ୍କାନାଳ ବାସୀ ଦାୟିତ୍ୱ ନେବା । ବିଶେଷ ଭାବରେ ଯୁବପିଢିମାନେ ଅଞ୍ଚଳର ବିକାଶ ଓ ଗରିବ ଲୋକଙ୍କ କଲ୍ୟାଣ ପାଇଁ ସ୍ଥାନୀୟ ଅଞ୍ଚଳରେ ହେଉଥିବା କାମକୁ ତଦାରଖ କରିବା ଦିଗରେ ଦାୟିତ୍ୱ ନେବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜୟା ଦଶମୀ ଅବସରରେ ଅନୁଗୋଳ ଜିଲ୍ଲା ତାଳଚେର ସାଉଥ ବଲଣ୍ଡା ଏବଂ ଢେଙ୍କାନାଳ ମିନି ଷ୍ଟାଡ଼ିୟମରେ ଆୟୋଜିତ ପୃଥକ ପୃଥକ ରାବଣ ପୋଡ଼ି ମହୋତ୍ସବରେ ସାମିଲ ହୋଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ତାଳଚେର ସାଉଥ ବଲଣ୍ଡା ଠାରେ ଆୟୋଜିତ ରାବଣ ପୋଡ଼ି ମହୋତ୍ସବରେ ଜନସାଧାରଣ ବିଶେଷ ଭାବରେ ଯୁବଶକ୍ତିଙ୍କ ଉତ୍ସାହ ଅଭୂତପୂର୍ବ । ଶକ୍ତି ସ୍ୱରୂପୀଣି ମା’ ଦୁର୍ଗା ସମାଜରୁ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାରକୁ ନିଶ୍ଚିହ୍ନ କରିବା ପାଇଁ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ଦୁର୍ଗା ଓ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦରେ ୨୦୪୭ ସୁଦ୍ଧା ଅପାର ସମ୍ଭାବନାର ଅଞ୍ଚଳ ଅନୁଗୋଳ ଜିଲ୍ଲା ସମେତ ସମଗ୍ର ଓଡ଼ିଶା ଓ ଭାରତବର୍ଷକୁ ବିଶ୍ୱରେ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ସମସ୍ତେ ଏକତ୍ରିତ ହେବା ପାଇଁ ସେ ଆହ୍ୱାନ କରିଛନ୍ତି ।

ବିଜୟା ଦଶମୀ ଆମକୁ ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ବାର୍ତ୍ତା ଦେଉଅଛି । ଆମ ସମସ୍ତଙ୍କ ସାମୂହିକ ଇଚ୍ଛାଶକ୍ତି କାରଣରୁ କୋଭିଡ୍ ଟିକା ନେଇ ଆମେ ଦେଶରେ କରୋନା ରୂପୀ ରାବଣକୁ ପରାଜୟ କରିଛୁ । ବ୍ରିଟିଶ ଶାସନର ଅନ୍ୟାୟ ବିରୋଧରେ ଲଢି ଶହୀଦ ହୋଇଥିବା ବୀର ବାଜି ରାଉତର ଭୂମି ତଥା ସ୍ୱାଭିମାନୀ ଓ ସମୃଦ୍ଧଶାଳୀ ଅଞ୍ଚଳ ଭାବରେ ପରିଗଣିତ ଢ଼େଙ୍କାନାଳର ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।