କେନ୍ଦ୍ରାପଡ଼ାରେ ମଦ ବ୍ୟବସାୟ ଦୁଇଦିନ ବନ୍ଦ

ଭୁବନେଶ୍ୱର: ପୁରୀର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ୨୨ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଦିନ ମଦ ବ୍ୟବସାୟ ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ କହି ରଖୁ କି ଆଜି ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହେଉଛି ପୁରୀ ପରିକ୍ରମା ପ୍ରକଳ୍ପ, ରାଜ୍ୟବାସୀଙ୍କ ପାଇଁ ସବୁଠୁ ଏକ ବଡ଼ ଦିନ। ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ ୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ସେପଟେ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଆଜି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଛନ୍ତି।

ଅନ୍ୟପଟେ ଆସନ୍ତା ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏ ନେଇ ଉତ୍ସବ ମୂଖର ହୋଇ ପଡ଼ିଛି ପଲ୍ଲୀଠୁ ଦିଲ୍ଲୀ। ୫୦୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଏବେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଶୁଭ ଏବଂ ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା କରିବେ। ତେଣୁ ୨୨ ତାରିଖରେ ମଧ୍ୟ ଜିଲ୍ଲାରେ ମଦ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଏଠାରେ କହି ରଖୁ କି ଆଜି ଦିନ ପ୍ରାୟ ସାଢେ ଗୋଟାଏ ବେଳକୁ ଗଜପତି ମହାରାଜ ଯଜ୍ଞ ପୂର୍ଣ୍ଣାହୂତି ଦେବା ସହିତ ମୁଖ୍ୟମନ୍ତ୍ରୀ ପୁରୀ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ଜଗନ୍ନାଥ ହେରିଟେଜ୍ କରିଡର ଭାବରେ ମଧ୍ୟ ଜଣାଶୁଣା ଏହି ପରିକ୍ରମା ପ୍ରକଳ୍ପର ଓଡ଼ିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ (ଓବିସିସି) ଦ୍ୱାରା କାର୍ଯ୍ୟ ଶେଷ ହୋଇଛି। ଏହି ଲୋକାର୍ପଣ ସମାରୋହରେ ଦେଶର ପ୍ରସିଦ୍ଧ ୯୦ଟି ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି। ଉଦ୍ଘାଟନ ପରେ ଏହି କରିଡର ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ୩୭୦୦ କୋଟି ଟଙ୍କା ବ୍ୟୟରେ ଏହି କରିଡର ନିର୍ମାଣ କରାଯାଇଛି। ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବିଲଡିଂ, ଶ୍ରୀମନ୍ଦିର ସ୍ୱାଗତ କେନ୍ଦ୍ର, ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ସମୁଦ୍ରକୂଳ ବିକାଶ ଆଦି ଯୋଜନା ଅନ୍ତର୍ଭୁକ୍ତ ରହିଛି।