ବିଜୁଳି ରାଜନୀତି: ଗୋଟିଏ ପଟେ ଦେଲେ ଆରପଟେ ନେଲେ!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବା ପାଇଁ ମାଗଣା ବିଜୁଳି ପ୍ରସଙ୍ଗ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। କିନ୍ତୁ ଏବେ କର୍ଣ୍ଣାଟକରେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଛି ବିଜେପି। ୟୁନିଟ ପିଛା ବିଜୁଳି ଦର ୭୦ ପଇସା ବୃଦ୍ଧିକୁ ନେଇ ବିଜେପି କର୍ଣ୍ଣାଟକର କଂଗ୍ରେସ ସରକାର ବିରୋଧରେ ଆନ୍ଦୋଳନକୁ ଓଲ୍ହାଇଛି।

କଂଗ୍ରେସର ୫ ଟି ଗ୍ୟାରେଣ୍ଟି ମଧ୍ୟରୁ ଗୃହଜ୍ୟୋତି ସ୍କିମରେ ଲୋକଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଠିକ ଏଭଳି ସମୟରେ ବିଜୁଳି ତାରିଫ ବଢିବାକୁ ବିଜେପି ବିରୋଧ କରିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସମେତ ଚିକ୍କାବଲାପୁରା, ମହୀଶୂର ଆଦି ବିଭିନ୍ନ ଅଂଚଳରେ ଦଳ ପକ୍ଷରୁ ଏଭଳି ବିରୋଧ ପ୍ରଦର୍ଶନ ହୋଇଛି। ଗୋଟିଏ ପଟେ ମାଗଣା ବିଜୁଳି ଦେଇ ଅନ୍ୟପଟେ ବିଜୁଳି ଦର ବଢାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା।

ଦଳ ପକ୍ଷରୁ ରାଜ୍ୟରେ ଦୁଇ ଦିନିଆ ବିରୋଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏପରିକି ମାଗଣା ବିଜୁଳିକୁ ନେଇ କଂଗ୍ରେସ ଲୋକଙ୍କୁ ଠକିବା ଫଣ୍ଡା ଆପଣାଇଥିବା ବିଜେପି ଅଭିଯୋଗ କରିଛି। ବିଜେପିର କହିବା କଥା ଯେଉଁ ପରିବାର ମାସକୁ ୭୦ ୟୁନିଟ ବିଜୁଳି ବ୍ୟବହାର କରୁଥିଲେ ସେମାନେ ଏବେ ୮୦ ୟୁନିଟ ବିଜୁଳି ବ୍ୟବହାର କରିପାରିବେ। କିନ୍ତୁ ଯଦି ସେତିକି ୟୁନିଟରୁ ଗୋଟିଏ ୟୁନିଟ ବି ଅଧିକ ହେଲା ତାହେଲେ ସମ୍ପୃକ୍ତ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ବିଲ ଦେବାକୁ ପଡିବ।

ଯାହାକୁ ଚାଲାକି ଢଙ୍ଗରେ ଠକାମି ବୋଲି କୁହାଯାଇଛି। ତେଣୁ ବିଜୁଳି ଦର ବୃଦ୍ଧି ସହ ମାଗଣା ବିଜୁଳି ପାଇଁ କଂଗ୍ରେସ ସରକାରର ସର୍ତ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଯାହାକୁ ନେଇ ବିଜେପି କର୍ଣ୍ଣାଟକରେ ବିରୋଧ ଆରମ୍ଭ କରିଥିବା ବେଳେ କଂଗ୍ରେସ ସରକାରର ଅନ୍ୟାନ୍ୟ ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଛି।

ବିଭିନ୍ନ କାର୍ଯ୍ୟର ପାଣ୍ଠିକୁ ବନ୍ଦ କରିବା ଓ ଯୋଜନା ଉପରେ ରୋକ ଲଗାଇବାକୁ ନେଇ ମଧ୍ୟ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛି।