ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ କେନ୍ଦ୍ର ରୁ ଚିଠି

ଭୁବନେଶ୍ୱର୦୬-୦୮ (ପି.ଏନ.ଏ) : ଦେଶ ସହିତ ଓଡ଼ିଶାରେ ବଢିଚାଲିଛି ଦୈନିକ କରୋନା ସଂକ୍ରମଣ I ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶା ସମେତ ୭ ଟି ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କ ନିକଟକୁ ପତ୍ର ଲେଖି ସତର୍କ କରାଇଛନ୍ତି I ଏହା ସହିତ ସଂକ୍ରମଣ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁପରାମର୍ଶ ଦେଛନ୍ତି I ଓଡିଶା ବ୍ୟତୀତ ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲଙ୍ଗାନା ଆଦି ୬ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପତ୍ର ଲେଖା ଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପତ୍ରରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଲେଖିଛନ୍ତି, ଅଗଷ୍ଟ ୫ ତାରିଖ ଦିନ ସର୍ବାଧିକ ୧,୭୯୦ ନୂତନ ସଂକ୍ରମଣ ରିପୋର୍ଟ ସମତେ ଗତ ଏକ ମାସ ହେବ ଓଡ଼ିଶାରେ ହାରାହାରି ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଅଧିକ ହେଉଥିବା ରିପୋର୍ଟ ଆସୁଛି। ଦେଶର ସାପ୍ତାହିକ ନୂତନ ସଂକ୍ରମଣରେ ଓଡ଼ିଶାରୁ ୫% ଥିବା ବେଳେ ଅଗଷ୍ଟ ୫ ତାରିଖ ଦିନ ଶେଷ ହୋଇଥିବା ସପ୍ତାହରେ ପଜିଟିଭିଟି ହାର ୪.୮୫% ଥିଲା।
ଏହି ପତ୍ରରେ ଓଡ଼ିଶାରେ ୧୫ଟି ଜିଲ୍ଲାରେ ପରୀକ୍ଷା ହ୍ରାସ, ୧୦ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଏବଂ ୪ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ହାର ୧୦%ରୁ ଅଧିକ ରହୁଥିବା କଥା ଉଲ୍ଲେଖ କରାଯାଇଛି ।
ସେହିପରି ଆଗାମୀ ମାସଗୁଡ଼ିକରେ ବହୁ ପର୍ବପର୍ବାଣି ପଡୁଥିବାରୁ ଜନସମାଗମ ହେବ ଏବଂ ସେଥିଯୋଗୁଁ ଅନ୍ୟାନ୍ୟ ସଂକ୍ରାମକ ରୋଗ ସମେତ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କI ରହିଛି । ମାର୍କେଟ, ଅନ୍ତଃରାଜ୍ୟ ବସଷ୍ଟାଣ୍ଡ, ସ୍କୁଲ, କଲେଜ, ରେଳ ଷ୍ଟେସନ ଭଳି ଜନଗହଳୀପୂର୍ଣ୍ଣ ଅଞ୍ଚଳରେ କୋଭିଡର ଉଚିତ ବ୍ୟବହାର କଡ଼ାକଡ଼ି ଭାବେ ପୁଣି ଲାଗୁ କରିବାକୁ ଚିଠିରେ କୁହାଯାଇଛି। ତେଣୁ ରାଜ୍ୟର ଏହି ୧୦ଟି ଜିଲ୍ଲାରେ ଯଥେଷ୍ଟ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ସେହିପରି ଟିକାକରଣ ହାରକୁ ମଧ୍ୟ ବଢ଼ାଇବା ପାଇଁ କେନ୍ଦ୍ର ସରକାର କହିଛନ୍ତି।
ଉଭୟ ଆରଟି ପିସିଆର ଓ ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ସଚିବ ଭୂଷଣ ପରାମର୍ଶ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରମାନେ ଯେଉଁ ସବୁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଗୁଡ଼ିକ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖନ୍ତୁ। ସଂକ୍ରମଣ ଯେମିତି ନ ବ୍ୟାପିବ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସେ କହିଛନ୍ତି।