ଲେଖାଶ୍ରୀଙ୍କୁ ବାଲେଶ୍ୱର ଟିକେଟ

ଭୁବନେଶ୍ୱର: ଗୁରୁବାର ବିଜେଡି ପକ୍ଷରୁ ବାଲେଶ୍ୱର ଲୋକସଭା ଆସନ ପାଇଁ ବାକି ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ଆସନ ପାଇଁ ବିଜେଡି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଘୋଷଣା କରାଯାଇଛି । ସେ ନିକଟରେ ବିଜେପିକୁ ବାଏ ବାଏ କରି ଶଙ୍ଖ ଫୁଙ୍କିଥିଲେ । ପୂର୍ବରୁ ବିଜେପି ପକ୍ଷରୁ ଏଠାରେ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ଏଯାବତ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ୨୦ ସାଂସଦଙ୍କ ପାଇଁ ଟିକେଟ ଘୋଷଣା ହୋଇସାରିଥିବା ବେଳେ କେବଳ ବାଲେଶ୍ୱର ପାଇଁ ଘୋଷଣା ହୋଇନଥିଲା । ତେବେ ସେଠାରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଏହାରି ଭିତରେ ଲେଖାଶ୍ରୀଙ୍କୁ ଦଳ ସେଠାରୁ ଲୋକସଭା ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛି । ବାଲେଶ୍ୱର ଆସନରେ ଏଥର ଲୋକସଭାରେ ବଡ ଲଢେଇ ଦେଖିବାକୁ ମିଳିବ । କାରଣ ଏହି ଆସନରୁ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ସାଂସଦ ଭାବେ ଟିକେଟ ଦେଇଛି । ପ୍ରତାପ ଷଡଙ୍ଗୀ ଏହି ଆସନରୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କୁ ୧୨ ହଜାର ଭୋଟରେ ପରାଜିତ କରିଥିଲେ । ହେଲେ ଦଳ ଏଥର ବାଲେଶ୍ୱର ବିଜୟୀ ହେବା ପାଇଁ ନୂଆ ଚାଲ ଖେଳିଛି ଆଉ ରବିନ୍ଦ୍ରଙ୍କ ସ୍ଥାନରେ ମହିଳା କାର୍ଡ ଖେଳି ଲେଖାଶ୍ରୀଙ୍କୁ ଟିକେଟ ଦେଇଛି । ସେହିପରି ରବିନ୍ଦ୍ରଙ୍କ ପତ୍ନୀ ଶୁଭାସିନି ଜେନାଙ୍କୁ ବିଜେଡି ବସ୍ତାରୁ ବିଧାନସଭା ଟିକେଟ ଦେଇଛି ।