କିମ୍‌ସରେ ୟାଲେ ଓ ନଟିଂହାମ୍‍ର ଦୁଇ ବିଶିଷ୍ଟ ଡାକ୍ତରଙ୍କ ବକ୍ତୃତା

ଭୁବନେଶ୍ୱର,୨୮ା୧୨: କିମ୍‌ସ-ଭୁବନେଶ୍ୱରରେ ନଟିଂହାମ୍‍ ବାୟୋମେଡିକାଲ୍‍ ରିସର୍ଚ୍ଚ ସେଣ୍ଟରର ସହଯୋଗୀ ନିର୍ଦ୍ଦେଶକ ଡା. ଗୁରୁପ୍ରସାଦ ପାଦୁର ଆଇଥାଲ୍‍ ଓ ୟାଲେ ୟୁନିଭର୍‍ସିଟି ସ୍କୁଲ୍‍ ଅଫ୍‍ ମେଡିସିନ୍‍ର ପାଥୋଲୋଜି ବିଭାଗ ପ୍ରଫେସର ଧନପତ ଜୈନ ଯଥାକ୍ରମେ ‘ଲିଭର ଫାଇବ୍ରୋସିସ୍‍: ପାଷ୍ଟ, ପ୍ରେଜେଣ୍ଟ ଆଣ୍ଡ ଫ୍ୟୁଚର ଓ ‘ଡାୟାଗ୍ନୋସିସ୍‍ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍‍ ଡ୍ରଗ୍‍-ଇନ୍‍ଡ୍ୟୁସ୍‍ଡ ଲିଭର ଇନଜୁରୀ: ଆନ୍‍ ଆନାଲିଟିକାଲ୍‍ ଅପ୍ରୋଚ୍‍ ଉପରେ ସାର ଗର୍ଭକ ବକ୍ତୃତା ପ୍ରଦାନ କରିଛନ୍ତି । ଏଥିରେ କିମ୍‍ସର ଡାକ୍ତରୀ ପିଜି ଛାତ୍ରଛାତ୍ରୀ ଏବଂ ବରିଷ୍ଠ ଅଧ୍ୟାପକମାନେ ଉପସ୍ଥିତ ବିଶେଷଜ୍ଞଠାରୁ ଆଧୁନିକ ଯକୃତ ଚିକିତ୍ସାର ନୂତନ ଦିଗନ୍ତ ଉପରେ ଜାଣିଥିଲେ । ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ତଥା କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପଦ୍ମଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କ ସମେତ ଦୁଇ ବିଶିଷ୍ଟ ଡାକ୍ତର, ପ୍ରଫେସର ଏମରିଟସ୍ ୱାଇ.କେ ଚାୱଲା ଏବଂ ପ୍ରଫେସର ଅସିମ ଦାଶ ଏହି ଅଧିବେଶନର ଅଧ୍ୟକ୍ଷତା କରିଥିବା ବେଳେ କିମ୍‌ସ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଉଭୟ ବିଶେଷଜ୍ଞ କିମ୍‌ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଭାଗ ଏବଂ ୱାର୍ଡ ପରିଦର୍ଶନ କରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସହିତ ସାକ୍ଷାତ କରିଥିଲେ । ବିଭାଗରେ ଉପଲବ୍ଧ ଥିବା ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଯନ୍ତ୍ରାଂଶ ସବୁ ଦେଖି ଖୁବ୍ ପ୍ରଶଂସା କରିଥିଲେ । ନିକଟରେ କିମ୍‌ସରେ ହୋଇଥିବା ‘ଯକୃତ ପ୍ରତିରୋପଣର ପ୍ରକ୍ରିୟା,ଏହି ପ୍ରକ୍ରିୟାରେ ବ୍ୟବହୃତ ଔଷଧ, ପ୍ରତିରୋପଣ କରାଯାଇଥିବା ବ୍ୟକ୍ତି ଏବଂ ଦାତାଙ୍କ ସାମଗ୍ରିକ ଚିକିତ୍ସା ପଦ୍ଧତି ବିଷୟରେ ପ୍ରଫେସର ଆଇଥଲ ପଚାରି ବୁଝିଥିଲେ ।