ଆଇପିଏଲ ଛାଡିବା ଜାସନ ରୟଙ୍କୁ ପଡିଲା ମାହାଙ୍ଗା , ଜରିମାନା ସହିତ ୨ଟି ମ୍ୟାଚ୍‌ରୁ ବ୍ୟାନ କଲା ଇସିବି

ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜାସନ ରୟଙ୍କୁ ଦୁଇଟି ମ୍ୟାଚ୍‌ରୁ ବ୍ୟାନ୍ କଲା ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି)। ଆଇପିଏଲ ୨୦୨୨ ପାଇଁ ଗୁଜରାଟ ଟାଇଟନ୍ସ ଦଳରେ ସାମିଲ୍ ହୋଇଥିବା ରୟ ବାୟୋ ବବଲ୍‌ର କାରଣ ଦର୍ଶାଇ ଲିଗ୍‌ର ୧୫ତମ ସିଜିନ୍‌ରୁ ଓହରି ଯାଇଛନ୍ତି। ଏଥିସହ ଇସିବି ରୟଙ୍କ ଉପରେ ୨୫୦୦ ୟୁରୋ ଜରିମାନା ଲଗାଇଛି। ଖରାପ ବ୍ୟବହାର ପାଇଁ ରୟଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଇସିବି କହିଛି।

ଇସିବି ବିଜ୍ଞପ୍ତି ଜାରି କରି କହିଛି, କ୍ରିକେଟ୍ ଅନୁଶାସନ କମିଟି ଜାସନ ରୟଙ୍କ ବିରୋଧରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଜାସନ ନିଜ ଉପରେ ଲାଗିଥିବା ଅଭିଯୋଗ ସ୍ଵୀକାର କରିଛନ୍ତି। ଜାସନ ଇସିବିଙ୍କ ନିର୍ଦ୍ଦେଶର ୩.୩ ଉଲ୍ଲଂଘନ କରିଛନ୍ତି। ଇସିବି ଏହା ମଧ୍ୟ କହିଛି, ଜାସନ ଇଂଲଣ୍ଡର ଆଗାମୀ ଦୁଇ ମ୍ୟାଚ୍‌ରୁ ନିଲମ୍ବନ ହୋଇଛନ୍ତି, ଯେଉଁଥିରେ ସେ ଦଳରେ ଚୟନ ହୋଇଥିବେ। ଏହି ନିଲମ୍ବନ ଅବଧି ୧୨ ମାସର ମଧ୍ୟ ହୋଇପାରେ। କିନ୍ତୁ ଏହା ତାଙ୍କ ବ୍ୟବହାର ଉପରେ ନିର୍ଭର କରେ। ତାଙ୍କ ଉପରେ ଲାଗିଥିବା ୨୫୦୦ ୟୁରୋ ଜରିମାନା ରାଶି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭରିବାକୁ ପଡିବ ବୋଲି ଇସିବି କହିଛି।

ଜାସନଙ୍କୁ ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିବାର ଥିଲା। ଗୁଜରାଟ ତାଙ୍କୁ ୨ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ହେଲେ ବାୟୋ ବବଲର କାରଣ ଦର୍ଶାଇ ରୟ ଆଇପିଏଲର ୧୫ତମ ସଂସ୍କରଣରୁ ନିଜ ନାମ ଫେରାଇ ନେଇଛନ୍ତି।