ବନ୍ୟାଞ୍ଚଳ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବନ୍ୟାଞ୍ଚଳର କ୍ଷୟକ୍ଷତି ପରିଦର୍ଶନ କରିଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି ବୁଲି ଦେଖିବା ସହ ସେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ବନ୍ୟାଜଳରେ ଭାସିଯାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ହିଞ୍ଜିଳିକାଟୁ ବ୍ଲକ୍ ବୁରୁପୋଡା ଗ୍ରାମର ଯୁବ ଇଞ୍ଜିନିୟରିଂ ଛାତ୍ର ବିଭୂତି ପଟ୍ଟନାୟକଙ୍କ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି। ଗସ୍ତ ସମୟରେ ଧାନ ଓ ପନିପରିବା ଉଜୁଡ଼ି ଯାଇଥିବା ଦେଖି ଶ୍ରୀ ପଟ୍ଟନାୟକ ଭାବବିହ୍ୱଳ ହୋଇପଡ଼ିଥିଲେ। ଚାଷୀମାନେ ନଷ୍ଟ ହୋଇଥିବା ଧାନଗଛ ଦେଖାଇ ନିଜର ଦୁଃଖ ଜଣାଇବା ପରେ, ସେ ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ପୂର୍ବରୁ ସେ ହେଲିକପ୍ଟର ଯୋଗେ ଶେରଗଡ଼ ଏବଂ ପରେ ହିଞ୍ଜିଳିକାଟୁରେ ଅବତରଣ କରିଥିଲେ। ସେଠାରେ ଦଳୀୟ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ସେ କାର୍ ଯୋଗେ ଯିବା ସମୟରେ ରାସ୍ତାକଡ଼ରେ ଅପେକ୍ଷା କରିଥିବା ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ।