ବାଣୀବିହାର ଯୁନିଭରସିଟି ହାଇସ୍କୁଲ ପରିସରରେ ‘ଆକାଙକ୍ଷା’ ବହୁମୁଖୀ ସୌଧ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

୫ ଟି ଉପକ୍ରମ ଆଧାରରେ ଓଡିଶାରେ ସ୍କୁଲଗୁଡ଼ିକର ଉଲ୍ଲେଖନୀୟ ରୂପାନ୍ତରଣ କାର୍ୟ୍ୟକ୍ରମ ସଫଳତାର ସହ ଆଗେଇଚାଲିଛି। ଏଥି ନିମନ୍ତେ ସ୍କୁଲଗୁଡ଼ିକର ପୁରାତନ ଛାତ୍ରସଂଘ ବେଶ୍ ଅଣ୍ଟା ଭିଡ଼ିଛି। ରାଜ୍ୟ ସରକାର ମଧ୍ୟ ସମାନ ଅନୁପାତର ଅର୍ଥରାଶି ପ୍ରଦାନ କରୁଛନ୍ତି। ଏହି କ୍ରମରେ ବାଣୀବିହାର ଯୁନିଭରସିଟି ହାଇସ୍କୁଲର ପୁରାତନ ଛାତ୍ରସଂଘ ସାଧ୍ୟମତେ ନିଜର ପ୍ରଚେଷ୍ଟା ଜାରି ରଖିଛି। ଆଜି ଉକ୍ତ ହାଇସ୍କୁଲ ପରିସରରେ ‘ଆକାଙକ୍ଷା, ଦି ଫୋରମ’ ବହୁମୁଖୀ ସୌଧ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ। ଉକ୍ତ କାର୍ୟ୍ୟକ୍ରମ ନିମନ୍ତେ ବାଣୀବିହାର ଅଡିଟୋରିୟମରେ ଆୟୋଜିତ ସମାରୋହରେ ଯୋଗଦେଇ ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଏହି ଆକାଙକ୍ଷା ଫୋରମ ବର୍ତ୍ତମାନ ଓ ଭବିଷ୍ୟତର ଛାତ୍ରଛାତ୍ରୀଙ୍କ ଉଭୟ ଗୁଣାତ୍ମକ ଶିକ୍ଷା ତଥା ବୌଦ୍ଧିକ ବିକାଶ ଓ ଶାରୀରିକ ବ୍ୟାୟାମ ସହ କୌଶଳ ବିକାଶ ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି ସୂଚନା ଦେଇଥିଲେ। ଜଣେ ସୁସାହିତ୍ୟିକା ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଏହି ଫୋରମ ସହ ଭିତ୍ତିଭୂମିକ ବିକାଶ ନିମନ୍ତେ ମୋ ସ୍କୁଲ କାର୍ଯ୍ୟକ୍ରମ ଦ୍ବାରା ରୂପାନ୍ତରିତ ସ୍କୁଲଗୁଡ଼ିକ ମଧ୍ୟରେ ବାଣୀବିହାର ୟୁନିଭରସିଟ ହାଇସ୍କୁଲ ଏକ ମଡେଲ ସ୍କୁଲ ରୂପେ ପରିଗଣିତ ହେବା ସହ ଆଗାମୀ ପିଢ଼ିକୁ ଦିଗଦର୍ଶନ ଦେବ ବୋଲି କହିଥିଲେ।
ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀବିଷ୍ଣପଦ ସେଠୀ କହିଥିଲେ ଯେ ଏପରି ଅଦମ୍ୟ ଉତ୍ସାହ ଓ ଉଚ୍ଚତର ଲକ୍ଷ୍ୟ ବଳରେ ଏହି ହାଇସ୍କୁଲଟି ବିଶ୍ବର ସର୍ବଶ୍ରେଷ୍ଠ ହାଇସ୍କୁଲର ପରିଚିତ ହାସଲ କରିପାରିବ। ଉକ୍ତ ହାଇସ୍କୁଲର ମେଣ୍ଟର ତଥା ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ସୁବ୍ରତ ବାଗଚୀ ଏହି ହାଇସ୍କୁଲର ପୁରାତନ ଛାତ୍ର ହିସାବରେ ଉକ୍ତ ହାଇସ୍କୁଲକୁ ନିଜର ଦ୍ବିତୀୟ ଜନ୍ମଦାତ୍ରୀ ରୂପେ ଅଭିହିତ କରି ‘ଆକାଙକ୍ଷା’ ଫୋରମ ଆଗାମୀ ଦିନରେ ବିଦ୍ୟାର୍ଥୀମାନଙ୍କ ଆଶା ଓ ଆକାଙକ୍ଷା ପୂରଣ ସହ ଦକ୍ଷ ପ୍ରଶାସକ ଓ ଉଚ୍ଚକୋଟୀର ବ୍ୟକ୍ତିତ୍ବ ଗଠନ ଦିଗରେ ସହାୟକ ହେବ ବୋଲି ଶ୍ରୀ ସେଠୀ କହିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏପରି ମହତ ପ୍ରଚେଷ୍ଟାର ଭୂୟସୀ ପ୍ରଶଂସା କରିଥିଲେ। ପୁରାତନ ଛାତ୍ର ସଂଘ ପକ୍ଷରୁ ସଭାପତି ଦୀପକ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ବହୁମୁଖୀ ସୌଧରେ ବିଜ୍ଞାନାଗାର, ପାଠାଗାର ସହ ବିଭିନ୍ନ ଇନଡୋର ଗେମ ଓ କୌଶଳ ବିକାଶ ନିମନ୍ତେ ସୁବିଧା ମିଳିପାରିବ।