ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ
ଲାଇସେନ୍ସ ବାତିଲ ପାଇଁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ଆଇନଜୀବୀମାନେ ଆଜକୁ ଦୀର୍ଘଦିନ ଧରି ଯେଉଁ ଆନ୍ଦୋଳନ ଚଳାଇଛନ୍ତି, ତାହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋମବାର ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ଏସ୍‌.ଓକାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ଆନ୍ଦୋଳନରତ ଆଇନଜୀବୀଙ୍କ ଲାଇସେନ୍ସ ବାତିଲ କରିବାକୁ ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନରେ ବାର୍ କାଉନ୍‌ସିଲ ଅଫ୍ ଇଣ୍ଡିଆର ସଦସ୍ୟମାନେ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବାର୍ କାଉନ୍‌ସିଲ୍‌ର ଦାୟିତ୍ୱ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଆନ୍ଦୋଳନରତ ଆଇନଜୀବୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ଜଷ୍ଟିସ କାଉଲ କହିଛନ୍ତି ଯେ ‘କାର୍ଯ୍ୟ ଆରମ୍ଭ ନକରିବା ପର୍ଯ୍ୟନ୍ତ ତୁମମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହୋଇପଡିଛି । କୌଣସି ବିକଳ୍ପ ନଥିବାରୁ ୧୦୦ ପ୍ରତିଶତ କାର୍ଯ୍ୟ ସମ୍ପାଦନ ହେବା ନିହାତି ଜରୁରୀ’ । ଯଦି ଆନ୍ଦୋଳନ ଅବ୍ୟାହତ ରହେ, ତେବେ ସଂପୃକ୍ତ ଆଇନଜୀବୀ ଏବଂ ଜିଲ୍ଲା ବାର୍ ଆସୋସିଏସନ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣ୍ଡପୀଠ ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି । ଓକିଲାତି ଏକ ସମ୍ମାନଜନକ ପେସା ହୋଇଥିବାବେଳେ ଆସୋସିଏସନ ଯଦି ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୁଅନ୍ତି, ତେବେ ଉକ୍ତ ଆସୋସିଏସନକୁ ସୁରକ୍ଷା ଦେବା ଅସମ୍ଭବ ହୋଇପଡିବ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ଏକାଧିକ ଥର ଚେତାବନୀ ଦେଇସାରିଛନ୍ତି ବୋଲି ଜଷ୍ଟିସ କାଉଲ କହିଛନ୍ତି । ଏହାସତ୍ତ୍ୱେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇନଥିବାରୁ ଆଇନ୍‌ର ବିଶେଷତ୍ୱକୁ ମର୍ଯ୍ୟାଦା ପ୍ରଦାନ କରିବା ଏବଂ ଅଦାଲତ କାର୍ଯ୍ୟ ଚାଲୁ କରିବା ପାଇଁ ଆମେ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବାକୁୁ ବାଧ୍ୟ ହେଉଛୁ ବୋଲି ମଧ୍ୟ ସେ କହିଛନ୍ତି । ଯଦି ଓଡ଼ିଶା ବାର୍ ଆସୋସିଏସନ ନେତାମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚିତ ମନେ କରୁଛନ୍ତି, ତେବେ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ଆନ୍ଦୋଳନ ସମ୍ପର୍କରେ ରାଜ୍ୟ ସରକାର କିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି, ସେ ପ୍ରସଙ୍ଗରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଛନ୍ତି । ଓଡ଼ିଶା ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ନଭେମ୍ବର ୧୪ରେ ମୃଦୁ ଚେତାବନୀ ଦେଇଥିଲେ । ଆନ୍ଦୋଳନରୁ ନ ଓହରିଲେ, ସେମାନଙ୍କ ବିରୋଧରେ ଲାଇସେନ୍ସ ବାତିଲ ଓ ଅଦାଲତ ଅବମାନନା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସୁପ୍ରିମକୋର୍ଟ ସେତେବେଳେ ଚେତାଇ ଦେଇଥିଲେ । ଭାରତୀୟ ସମ୍ବିଧାନ ଅନୁଯାୟୀ ଆଇନ୍‌ର ସୁବିଧା ପାଇବାକୁ ପ୍ରତ୍ୟେକ ନାଗରିକଙ୍କର ଅଧିକାର ରହିଛି । ଓକିଲମାନେ ଏହି ପ୍ରକ୍ରିୟାରେ ଅଂଶବିଶେଷ ହୋଇଥିବାରୁ ସେମାନେ ଆନ୍ଦୋଳନ ଜରିଆରେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଓଡ଼ିଶାର ୨୦ ଜିଲ୍ଲାରେ ୩୨୧୬ ଘଣ୍ଟାର ଅଦାଲତ କାର୍ଯ୍ୟ ନଷ୍ଟ ହୋଇସାରିଥିବା ଖଣ୍ଡପୀଠ କ୍ଷୋଭର ସହ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା କୋର୍ଟରେ ଗତ ଶୁକ୍ରବାର ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆନ୍ଦୋଳନରତ ଆଇନଜୀବୀମାନେ ମହକିଲ, ଜୁଡିସିଆଲ ଅଧିକାରୀ ଏବଂ ଅନ୍ୟ ଓକିଲଙ୍କୁ ଅଦାଲତ ପରିସରରେ ପ୍ରବେଶ ପାଇଁ ବାଧା ସୃଷ୍ଟି କରିଥିଲେ । ଏପରିକି ପୁଲିସ ବାହିନୀର ଉପସ୍ଥିତି ସତ୍ତ୍ୱେ ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିବା ଏବଂ ସେମାନଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବାରେ ବାଧା ପହଞ୍ଚାଇଥିବା ଘଟଣାକୁ ଖଣ୍ଡପୀଠ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଜିଲ୍ଲା ଜଜ୍‌ଙ୍କୁ ପୂର୍ବ ସୂଚନା ନଦେଇ ଏଭଳି ଆନ୍ଦୋଳନ ଡାକରା ଦେବା ଅନୁଚିତ ବୋଲି ଖଣ୍ଡପୀଠ କହିଛନ୍ତି । ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅତିରିକ୍ତ ସତ୍ୟପାଠକୁ ଆଧାର କରି ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଆଚରଣରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସେମାନେ ପରିବାର ପ୍ରତିପୋଷଣ ପାଇଁ ଏହି ପେସା ଉପରେ ଆଦୌ ନିର୍ଭରଶୀଳ ନୁହନ୍ତି । ଏଥିସହିତ ମହକିଲ, ଜୁଡିସିଆଲ ଅଧିକାରୀ ଏବଂ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ଅନ୍ୟ ଓକିଲଙ୍କୁ ସୁରକ୍ଷା ଯୋଗାଇଦେବାକୁ ଖଣ୍ଡପୀଠ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସକୁ ଏହି କାର୍ଯ୍ୟରେ ବାଧା ଦେଉଥିବା ଆଇନଜୀବୀଙ୍କୁ ଆବଶ୍ୟକ ପଡିଲେ ଗିରଫ କରିବାକୁ ଖଣ୍ଡପୀଠ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ରେ ମଧ୍ୟ ଓଡ଼ିଶାର ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଷ୍ଟିସ କାଉଲଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠ ସେତେବେଳେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଓ ଓଡ଼ିଶା ବାର୍ କାଉନସିଲ୍‌କୁ ନିର୍ଦ୍ଦେଶ ଦେଇଥିଲେ ।

Lawmakers' movement in West Odisha