ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ

ଭୁବନେଶ୍ୱର:  ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ହେବ ବୋଲି ବଡ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଚାବି ପ୍ରହେଳିକା ଗତ ସରକାରର ବାବୁମାନେ କରିଥିଲେ । ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବାକୁ ଷଡଯନ୍ତ୍ର ହୋଇଥିଲା । କିନ୍ତୁ କିଏ ଦାୟୀ ତାହା ଏବେଯାଏଁ ଜଣାପଡିନାହିଁ । ଏବେ ଏହି ଷଡଯନ୍ତ୍ରର ଖୁଲାସା ହେବ ଏବଂ ଯେଉଁମାନେ ଚଞ୍ଚକତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ସରିଛି । କେବଳ କାମ ଆରମ୍ଭ ପ୍ରକ୍ରିୟା ବାକି ଅଛି । ପ୍ରଥମେ ବାହାର ରତ୍ନଭଣ୍ଡାରର କାମ ଆରମ୍ଭ ହେବ । ପରେ ଭିତର ଭଣ୍ଡାର ମରାମତି କାମ ହେବ । ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ମହାପ୍ରଭୁଙ୍କ ରୀତିନୀତିରେ ଯେପରି କୌଣସି ଅସୁବିଧା ନହେବ ତାକୁ ପ୍ରଥମିକତା ଦିଆଯିବ । ସେ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା ସରିଛି ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ।