ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କାରଖାନା ପରିସରରେ ଘଟିଛି ଏକ ଅଘଟଣ। ଏକ ବକ୍ସାଇଟ ବୋଝେଇ ଗାଡି ଚାପାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଦ୍ବୟ ଝାଡ଼ଖଣ୍ଡ ଅଞ୍ଚଳର ମୁକେଶ ଟୁଡୁ(୩୩) ଓ ଅଭିମନ୍ୟୁ କୁମାର ଜେନା (୩୫)ବୋଲି ଜଣାପଡିଛି । ସୂଚନା ଅନୁସାରେ, ଶ୍ରମିକ ଦୁଇ ଜଣ ଝାରଖଣ୍ଡ ରାଜ୍ୟର ବୋକାରୋ ଅଞ୍ଚଳର ହୋଇଥିବା ବେଳେ ସେମାନେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କମ୍ପାନି ଅଧୀନରେ ଥିବା ଏଲଏନଟି କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ନିଜ କାମ ସାରି ସାଇଟରୁ ଯାଇ ପାଣି ନେଇ ଫେରୁଥିବା ସମୟରେ ମୁନିଗୁଡା ଅଞ୍ଚଳର ବକ୍ସାଇଟ ଲୋଡ୍ ଥିବା ହାଇୱା(ଓଡି-୧୮ ଏ- ୬୬୫୧) ସେହି ରାସ୍ତା ଦେଇ ଆସୁଥିଲା। ସେତେବେଳେ ଏକ ବୁଲାଣିରେ ଖାଲରେ ପଡ଼ି ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ସେପଟୁ ଦୁଇ ଜଣ ଶ୍ରମିକ ପାଣି ଆଣି ଆସୁଥିବା ବେଳେ ଗାଡି ତାଙ୍କ ଉପରେ ପଡିଥିଲା । ଫଳରେ ଘଟଣା ସ୍ଥଳରେ ଶ୍ରମିକ ଦ୍ବୟଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବେଦାନ୍ତ ଶ୍ରମିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଘଟଣାର ଖବର ପାଇ ଲାଞ୍ଜିଗଡ଼ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଏକ ମାମଲା ନଂ ୧୨/୨୨ ରେ ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୧୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଶବ ସତ୍କାର ପାଇଁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ମୃତ ଦେହକୁ ତାଙ୍କ ଜନ୍ମ ମାଟିକୁ ପଠାଯାଇଛି ।