ମୁମ୍ବାଇର କୁର୍ଲାରେ ଭୋରୁ ଭୂସ୍ଖଳନ, ୫ ମୃତ

ମୁମ୍ବାଇ: ଆଜି ମହାରାଷ୍ଟ୍ରର ମୁମ୍ବାଇରେ ଭୋର ପ୍ରାୟ ୩ଟା ସମୟରେ କୁର୍ଲାର ଅଶୋକନଗର ଅଞ୍ଚଳରେ ଭୂସ୍ଖଳନ ହେବାରୁ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି। ଆହୁରି କିଛି ଲୋକ ମାଟି ତଳେ ଫସିଥିବା ଅନୁମାନ କରାଯାଉଛି । ଖବର ପାଇବା ମାତ୍ରେ ପୋଲିସ, ବିଏମସି, ଏନଡିଆରଏଫ୍ ସମେତ ବିଭିନ୍ନ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଚେଷ୍ଟା ଚଳାଇଛନ୍ତି | ମିଳିଥିବା ସୂଚନା ଅନୁସାରେ, ଘାଟକୋପର ପୋଲିସ ଷ୍ଟେସନ୍ ଅଧୀନ ଅଶୋକନଗର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି। ଡିସିପି ଗଣେଶ ସିନ୍ଦେଙ୍କ ଅନୁସାରେ, ଭୋର ପ୍ରାୟ ୩ଟାରେ ଏହି ଅଘଟଣ ଘଟିଥିଲା। ପ୍ରାୟ ୪ରୁ ୫ ଜଣ ଲୋକ ମାଟି ତଳେ ଫସିଥିବା ଆଶଙ୍କା କରାଯାଇଥିଲା। ଲ୍ୟାଣ୍ଡସ୍ଲାଇଡ୍ ରେ ୨୮ ବର୍ଷୀୟ ସାହିଲ ଅନସାରୀ ଏବଂ ୧୪ ବର୍ଷୀୟ ମହମ୍ମଦ ସମୀରଙ୍କୁ ରାଜାୱାଡି ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।