ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରୀ ଖାତାକୁ ଫେରିଲା ୧୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜମି

ଭୁବନେଶ୍ୱର :ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ପ୍ରଶାସନ ପ୍ରାୟ ୧୧୦ କୋଟିରୁ ଅଧିକ ମୂଲ୍ୟର ୧୧ ଏକରରୁ ଅଧିକ ଜମିକୁ ନିଜ ଅଧିକାରକୁ ଆଣିଛନ୍ତି lସୂଚନା ଅନୁଯାୟୀ କୋଣାର୍କ ହେଲିପ୍ୟାଡ୍ ପଡ଼ିଆ ଓ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ପାର୍ଶ୍ଵରେ ଥିବା ଏସବୁ ଜମିକୁ ୧୯୮୯ ମସିହାରୁ କିଛି ମୁଷ୍ଟିମେୟ ବ୍ୟକ୍ତି ଏହି ମୂଲ୍ୟବାନ ଜମିକୁ ଜବରଦଖଲ କରି ରଖିଥିଲେ । ତେବେ ମାମଲାରେ ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଗୋପ ତହସିଲଦାର ଜୟଦର୍ଥ ଆଚାର୍ଯ୍ୟ, କୋଣାର୍କ ଆର.ଆଇ. ଯଶୋବନ୍ତ ନାୟକ ଏବଂ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଶାସନ ପକ୍ଷରୁ ସେଠାରେ ନାଲି ପତାକା ଲଗାଯାଇ ଏହାକୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣାଯାଇଥିବା ସ୍ପଷ୍ଟ କରାଯାଇଛି ଏବଂ ଏହି ୧୧ ଏକରରୁ ଅଧିକ ଜମି ସରକାରୀ ଖାତାକୁ ଫେରିପାରିଛି।ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ପ୍ରାୟ ୧୧ ଏକରର ବହୁମୂଲ୍ୟ ଜମି ଦୀର୍ଘ ଦିନର ବିବାଦ ପରେ ପୁଣି ସରକାରୀ ଖାତାକୁ ଫେରିଛି। ଏହି ଜମିକୁ ନେଇ କୋର୍ଟରେ ମାମଲା ଚାଲିଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ପ୍ରକ୍ରିୟାର ଅନ୍ତ ଘଟାଇ ପ୍ରଶାସନ ପକ୍ଷରୁ ଏହି ବହୁମୂଲ୍ୟ ସରକାରୀ ଜମିକୁ ସଫଳତାର ସହ ନିଜ ଅଧୀନକୁ ନିଆଯାଇଛି ଏବଂ ସରକାରୀ ରେକର୍ଡରେ ଏହାକୁ ସାମିଲ କରାଯାଇଛି।