ଲଖିମପୁର ହିଂସା ମାମଲା :UP ପୁଲିସ୍‌ ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମକୋର୍ଟ, ସିବିଆଇ ତଦନ୍ତ କୁ ଅଗ୍ରାହ୍ୟ

ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲI ର ପୁଲିସ୍‌ ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମକୋର୍ଟ। ଏଥିସହ ଉତ୍ତରପ୍ରଦେଶର ଦାଖଲ କରିଥିବା ନୂଆ ଷ୍ଟାଟର୍ସ ରିପୋର୍ଟକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ମାମଲାରେ ଏସଆଇଟି ତଦନ୍ତ ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ କରିବାକୁ ସୁପାରିଶ ଦେବା ସହ ସିବିଆଇ ତଦନ୍ତ ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । ସିବିଆଇ ତଦନ୍ତ ସବୁକିଛିର ସମାଧାନ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି I

ସୂଚନା ଅନୁସାରେ ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗୋଟିଏ ମହିନ୍ଦ୍ରା ଥର ଗାଡି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଙ୍କ ସହିତ ପରବର୍ତ୍ତୀ ହିଂସାକାଣ୍ଡରେ ୩ ଜଣ ବିଜେପି କର୍ମୀ ଏବଂ ଅନ୍ୟ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା I ଏହି ହତ୍ୟାକାଣ୍ଡରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆସିଥିଲା I ଏବଂ ପରବର୍ତ୍ତୀ ଅବସ୍ଥାରେ ଆଶିଷ ମିଶ୍ର ଗିରଫ ହୋଇ ଜେଲ ରେ ଅଛନ୍ତି I

ସିଜେଆଇ ଜଷ୍ଟିସ ଏନ୍‌ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଏଥିରେ କିଛି ନୂଆ ନାହିଁ। ଆମେ ଯାହା ଆଶା କରିଥିଲୁ ସେଭଳି କିଛି ତଥ୍ୟ ଏଥିରେ ନାହିଁ। ଏସ୍‌ଆଇଟି ଦ୍ୱାରା ସାକ୍ଷୀମାନଙ୍କ ଯେଉଁ ବୟାନ ରେକର୍ଡ କରାଯାଇଛି, ତାହା ଆତ୍ମବିଶ୍ୱାସୀ ନୁହେଁ।” ତେଣୁ ଏହି ମାମଲାର ତଦନ୍ତ ପାଇଁ ପୂର୍ବତନ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଜଜ୍‌ ଜଷ୍ଟିସ ରଣଜିତ ସିଂହଙ୍କୁ ନିଯୁକ୍ତ କରିବା ସପକ୍ଷରେ ସୁପ୍ରିମକୋର୍ଟ କହିବା ସହ ୟୁପି ସରକାରଙ୍କ ମତାମତ ଲୋଡିଛନ୍ତି। ଏହି ଘଟଣାର ସିବିଆଇ ଯାଞ୍ଚକୁ ମନା କରିଛନ୍ତି ସୁପ୍ରିମକୋର୍ଟ।

ଏହି ମାମଲାରେ ମୋଟ ୧୬ଜଣ ଅଭିଯୁକ୍ତ ଥିଲେ। କିନ୍ତୁ କେବଳ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ହିଁ ମୋବାଇଲ୍‌ ଫୋନ୍‌ କାହିଁକି ଜବତ କରାଗଲା? ସମସ୍ତ ଅଭିଯୁକ୍ତଙ୍କ କାହିଁକି ମୋବାଇଲ ଫୋନ୍‌ ଜବତ କରାଗଲା ନାହିଁ? ଆମେ ୧୦ ଦିନ ସମୟ ଦେଇଥିଲୁ। ଲ୍ୟାବ୍‌ର ରିପୋର୍ଟ ମଧ୍ୟ ଆସିଲା ନାହିଁ କାହିଁକି ବୋଲି କୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି।

Comments (0)
Add Comment