ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଅଧିକାରୀ

ଫୁଲବାଣୀ/ବାଲିଗୁଡ଼ା: ବାଲିଗୁଡାଠାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋଟଗଡ଼ ଥାନା ଅଧିକାରୀ ଧିରଜ କୁମାର ଲେଙ୍କା । କୋଟଗଡରୁ ଏକ ସ୍ୱତନ୍ତ୍ର ବୋଲେରୋ ଗାଡ଼ିରେ କୋଟଗଡ ଥାନା ଅଧିକାରୀ ତାଙ୍କ ନିଜ ଘର ଆଠଗଡ଼କୁ ଯାଉଥିଲେ । ସେତିକିବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି ।
ଏହି ଗାଡ଼ଡିରେ ଟଙ୍କା ଧରିଯାଉଥିବା କୌଣସି ସୂତ୍ରରୁ ଖବରପାଇ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ଅରୁଢ଼ କୁମାର ନାୟକଙ୍କ ଟିମ୍ ସଦଳେବଦଳେ ବାଲିଗୁଡ଼ାରେ ଜଗିରହିଥିଲେ । ଥାନା ଅଧିକାରୀଙ୍କ ଗାଡ଼ିକୁ ଦେଖି ତାଙ୍କୁ ପିଛା କରିଥିଲେ ଏବଂ ବାଲିଗୁଡାର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେହି ଗାଡ଼ିକୁ ଧରିବାରେ ସଫଳ ହୋଇଥିଲେ । ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ିର ସିଟ୍ ତଳୁ, ଆଟାଚି ପେଡି ଓ ପକେଟରୁ ପ୍ରାୟ ଦୁଇଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଥାନା ଅଧିକାରୀଙ୍କୁ ଭିଜିଲାନ୍ସ ନିଜ ହେଫାଜତରେ ଫୁଲବାଣୀ ନେଇ ଅଧିକ ତଦନ୍ତ କରାଯିବ ବୋଲି ଅରୁଣ ନାୟକ କହିଛନ୍ତି । ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଏଏସ୍‌ଆଇ ୱାଇ. ଭି. ରବି କିରନ, ସୁବୋଧ ମିଶ୍ର, ଅନ୍ୟ ଭିଜିଲାନ୍ସ କର୍ମଚାରୀ ଦିଲ୍ଲୀପ ପ୍ରଧାନ ଏବଂ ମନୋଜ ନାୟକ ପ୍ରମୁଖ ସାମିଲ ଥିଲେ ।