କୋରେଇ ଟ୍ରେନ ଦୁର୍ଘଟଣା: ୩ ମହିଳା ମୃତ ,ମିଳିଲା ପରିଚୟ

ଯାଜପୁର : ଆଜି ସକାଳ ୬.୪୦ ରେ କୋରେଇ ରେଳ ଷ୍ଟେସନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା I ଭଦ୍ରକରୁ କଟକ ଯିବାବେଳେ କୋରେଇ ଷ୍ଟେସନରେ ଲାଇନ୍‌ଚ୍ୟୁତ ହୋଇଥିଲା ଟ୍ରେନ୍‌। ୧୨ଟି ବଗି ଟ୍ରାକରୁ ବାହାରି ଯାଇଥିବା ବେଳେ କିଛି ବଗି ଷ୍ଟେସନ ଭିତରେ ପଶି ଯାଇଥିଲା । ଟ୍ରେନ ଟି ଯାତ୍ରୀ ବିଶ୍ରାମାଗାର ଓ ଟିକେଟ କାଉଣ୍ଟର ଉପରେ ମାଡି ଯିବାଫଳରେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା I ମୃତକଙ୍କ ମଧ୍ୟରେ ୩ ଜଣ ଯାକ ମହିଳା ଏବଂ ତିନି ମହିଳା ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାର୍ବତୀ ବିନ୍ଧାଣି, କଣ୍ଢେଇ ବିନ୍ଧାଣି ଓ ଅବଜୁନ ବିବି।

ସୂଚନାନୁଯାୟୀ,ମୃତକ ୨ ମହିଳା ହେଉଛନ୍ତି ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତ ଓଚିନ୍ଦା ତାଜପୁରର କୁନା ବିନ୍ଧାଣିଙ୍କ ପତ୍ନୀ ପାର୍ବତୀ ବିନ୍ଧାଣି (୫୫ ବର୍ଷ), ଝିଅ କଣ୍ଢେଇ ବିନ୍ଧାଣି (୨୬ ବର୍ଷ)। ଉଭୟ ମା’ଝିଅ,ଜ୍ୱାଇଁ ବଳରାମ ବିନ୍ଧାଣି ଓ ଅଢେଇ ବର୍ଷ ର ନାତି ବିଶ୍ବଜିତ ଙ୍କୁ ସାଙ୍ଗରେ ନେଇ,ମା’ ପାର୍ବତୀ ଝିଅ କଣ୍ଢେଇର ଚିକିତ୍ସା ଲାଗି କଟକ ମେଡକାଲକୁ ଯିବା ପାଇଁ ଆଜି ଭୋରରୁ ନିଜ ଗାଁରୁ ବାହାରିଥିଲେ। ନିୟତିର ଗତି ଥିଲା ଅନ୍ୟ ପ୍ରକାର I ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଥିଲା ଏବଂ ସେଥିରେ ପ୍ରାଣ ହରାଇଥିଲେ ପାର୍ବତୀ ଓ କଣ୍ଢେଇ । ଏଥିରେ ଜ୍ବାଇଁ ବଳରାମ ବିନ୍ଧାଣି, ନାତି ବିଶ୍ବଜିତ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି I

ସେହିଭଳି ଅନ୍ୟଜଣେ ମହିଳା ହେଉଛନ୍ତି ସେକ ମୋଇଉଦ୍ଦିନଙ୍କ ପତ୍ନୀ ଅବଜୁନ ବିବି(୪୨ ବର୍ଷ)। ତାଙ୍କ ଘର କୋରେଇ ବ୍ଲକର ସାଧକପୁର ପଂଚାୟତର ଫାଜଲପୁର ଗ୍ରାମରେ। ସେ ତାଙ୍କ ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ମେଡିସିନ ଆଣିବାପାଇଁ କଟକ ଯିବାକୁ ଡିଏମୟୁ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ଦୁର୍ଘଟଣା ଘଟିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଦୁର୍ଘଟଣାରେ ଯେଉଁ ୪ ଜଣ ଆହତ ହୋଇଛନ୍ତି, ସେମାନେ ହେଲେ ରମେଶ ଜେନା, ମାଧବାନନ୍ଦ ବାରିକ, ବଳରାମ ବିନ୍ଧାଣି ଓ ବିଶ୍ବଜିତ ବିନ୍ଧାଣି।