କିସ୍ ଅଭିଭାବକ ସମ୍ମିଳନୀ

ଏକଜୁଟ ହେବେ ୧ଲକ୍ଷରୁ ଊର୍ଦ୍ଧ୍ୱ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ


ଭୁବନେଶ୍ୱର, ୧୫ ।୧୨: ଦିନକ ପରେ କିସରେ ବିରାଟ ଅଭିଭାବକ ସମ୍ମିଳନୀ। ଏଥିପାଇଁ କିସ୍‍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିସ୍‍ର ବିରାଟ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ସମଗ୍ର ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେବେ। ଏଥିପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଅଭିଭାବକମାନେ କିସରେ ପହଞ୍ଚିବା ପରେ ସେମାନଙ୍କ ରହିବା ଓ ଖାଇବା ଆଦି କିଭଳି ଭଲ ଭାବରେ ହୋଇପାରିବ ସେ ବିଷୟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ଶ୍ରୀ ସାମନ୍ତ କିସ୍‍ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ବୈଠକ କରି କାର୍ଯ୍ୟକ୍ରମ ଆୟୋଜନ ସ୍ଥଳ ଓ ସମସ୍ତ ସ୍ଥାନ ବୁଲି ଦେଖିଥିଲେ।


ଏହି ବିରାଟ ଅଭିଭାବକ ସମ୍ମିଳନୀରେ ଓଡିଶାର ୩୦ଜିଲ୍ଲା ତଥା ରାଜ୍ୟ ବାହାରୁ କିସ୍‍ର ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ୬୦ହଜାର ବାପା-ମାଆ, ୨୦ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗଦେବେ। ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ଦେଢ଼ ଲକ୍ଷ ଜନଜାତିଙ୍କ ସମାଗମ ହେବ। ସେଥିପାଇଁ ଏବେଠାରୁ ଦୂରଦୂରାନ୍ତରୁ ଅଭିଭାବକମାନେ କିସରେ ପହଞ୍ଚିବାରେ ଲାଗିଛନ୍ତି। ସେମାନଙ୍କ ରହିବା ଓ ଖାଇବା ପାଇଁ କିସ୍‍ରେ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଅଭିଭାବକମାନେ ଯେପରି ସୁରୁଖୁରୁରେ ସେମାନଙ୍କ ପିଲାମାନଙ୍କ ସହ ସାକ୍ଷାତ କରିପାରିବେ ଓ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍‍ ପରିସରରେ ଜିଲ୍ଲାୱାରୀ ଷ୍ଟଲ୍‍ମାନ ଖୋଲାଯାଇଛି।


ରବିବାର ସକାଳୁ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଲାଗି ରହିବ। ସେମାନଙ୍କର ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ, ରାତ୍ର ଭୋଜନ, ସଭାରେ ଯୋଗଦାନ, ସାଂସ୍କୃୃତିକ କାର୍ଯ୍ୟକ୍ରମ ଆଦି ସବୁକିଛି କିସ୍‍ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ଅଭିଭାବକ ସମ୍ମିଳନୀରେ ଜନଜାତି ବାପା-ମାଆମାନଙ୍କୁ ସେମାନଙ୍କ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିବା ସହ ବିଭିନ୍ନ ଜନଜାତିର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ।