କିସ୍‌ରେ ଡ. ଅଚ୍ୟୁତ ସାମନ୍ତଙ୍କ ଅନନ୍ୟ ଶିକ୍ଷାଦାନ କୌଶଳ ଆଜି ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିଛି

ଭୁବନେଶ୍ୱର : କିସ୍ ହେଉଛି ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକି ୨୦୧୩ରେ ମାତୃଭାଷା ଭିତ୍ତିକ ବହୁଭାଷୀ ପ୍ରାଥମିକ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ କରିଥିଲା। ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଶିଶୁମାନଙ୍କୁ ସେମାନଙ୍କ କଥିତ ଓ ପ୍ରଚଳିତ ଭାଷାରେ ଶିକ୍ଷାଦାନ କରାଯାଇଥାଏ। ଫଳରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଥାଏ। ପର୍ଯ୍ୟାୟ କ୍ରମେ ସେମାନଙ୍କୁ ବହିରେ ଲିଖିତ ଭାଷା ବ୍ୟବହାର ସହ ଅଭ୍ୟସ୍ତ କରାଯାଇଥାଏ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢିଥାଏ ଏବଂ ଅଧାରୁ ପାଠ ପଢୁଥିବା ପିଲାଙ୍କ ସଂଖ୍ୟା କମାଇବାରେ ଏହା ଏକ ଅଭିନବ ଓ ସଫଳ ପ୍ରୟାସ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଅନ୍ତର୍ଜାତୀୟ ଲିଟେରାସି ପୁରସ୍କାର- ୨୦୨୨। ଏହି ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।

ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ। ଖାସ୍‌ କରି ଜନଜାତି ‘ପିଲାଙ୍କ ମଧ୍ୟରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା’ କାର୍ଯ୍ୟକ୍ରମ ପାଇଁ କିସ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକ ବର୍ଷ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ୟୁନେସ୍କୋ କିଂ ସେଜଂ ଲିଟେରାସୀ ପ୍ରାଇଜ୍ ନାମରେ ନାମିତ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରିଥାଏ। ଶିକ୍ଷା ସମ୍ପର୍କିତ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ୟୁନେସ୍କୋ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରିଥାଏ।

ଚଳିତ ବର୍ଷ ୟୁନେସ୍କୋ ପକ୍ଷରୁ ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ସେମାନଙ୍କୁ ପ୍ରାଥମିକସ୍ତରରେ ମାତୃଭାଷା ଓ ସେମାନଙ୍କ କଥିତ ଭାଷାରେ ଶିକ୍ଷା ପ୍ରଦାନ ବିଷୟବସ୍ତୁ ରଖାଯାଇଥିଲା। ବିଶ୍ୱ ସାକ୍ଷରତା ଦିବସ ପରିପ୍ରେକ୍ଷୀରେ ଗୁରୁ୍ବାର ଡି ଆଇଭୋରରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ କିସ୍କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡାଲ୍ ଓ ପ୍ରଶସ୍ତିପତ୍ର ପ୍ରଦାନ କରଯାଇଥିଲା।
ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍ଜିଓ ବୋଲି ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଥିଲେ।
କିସ୍ ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ୩୦ ବର୍ଷ ହେଲା ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଏହି ଅନନ୍ୟ ଶିକ୍ଷାଦାନ ଢାଞ୍ଚା ଆଜି ଏକ ସଫଳ କୌଶଳ ଭାବେ ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରି ପାରିଛି। କିସ୍ ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ଡ. ସାମନ୍ତ ୟୁନେସ୍କୋକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ଶିକ୍ଷା ସମ୍ମାନ ଆମକୁ ଶିକ୍ଷା ମଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ ସହ ଅଧିକରୁ ଅଧିକ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଆହୁରି ଉତ୍ସାହିତ କରିବ। ସୂଚନାଯୋଗ୍ୟ, କିସ୍ ଜରିଆରେ ୭୦ ହଜାରରୁ ଊର୍ଦ୍ଧ୍ୱ ଜନଜାତି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ପାରିଛନ୍ତି । ୨୦୧୫ରେ କିସ୍ ୟୁନେସ୍କୋର ସ୍ପେଶିଆଲ୍ କନ୍ସଲଟିଭ ଷ୍ଟାଟସ ପାଇବାର ଗୌରବ ଅର୍ଜନ କରିଥିଲା।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିସ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରାଶାନ୍ତ କୁମାର ରାଉତରାୟ ଓ କିସ୍ର ମହାନିର୍ଦ୍ଦେଶକ କାହ୍ନୁ ଚରଣ ମାହାଲି ପ୍ରମୁଖ ଉପସ୍ଥିତ ଥିଲେ।