ତୃଣମୂଳସ୍ତରରେ ଭଲିବଲର ବିକାଶ ନେଇ କିସ୍‍ ଓ ଏଫ୍‍ଆଇଭିବି ଆଲୋଚନା

ଭୁବନେଶ୍ୱର, ୨୯ ।୪: କିସ୍ ଜରିଆରେ ତୃଣମୂଳସ୍ତରରେ ଭଲିବଲର ବିକାଶ ନେଇ କିଟ୍‍-କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ଆଲୋଚନା ହୋଇଛି । ଏ ସମ୍ପର୍କରେ ଆଲୋଚନା ପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ  ସୁଇଜରଲ୍ୟାଣ୍ଡ ସ୍ଥିତ ଏଫ୍‍ଆଇଭିବି ମୁଖ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା। ଏଫ୍‍ଆଇଭିବି ହେଉଛି ଭଲିବଲର ସର୍ବୋଚ୍ଚ ଆନ୍ତର୍ଜାତିକ ସଂଗଠନ। ଭାରତରେ ବିଶେଷ କରି ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ତୃଣମୂଳସ୍ତରରେ ଭଲିବଲର ପ୍ରସାର ଉପରେ ସୋମବାର ଏଫ୍‍ଆଇଭିବି କର୍ତ୍ତୃପକ୍ଷ ଓ ଶ୍ରୀ ସାମନ୍ତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଅଚ୍ୟୁତ ସାମନ୍ତଙ୍କ ସହ ଏଫ୍‍ଆଇଭିବି ଭଲିବଲ୍‍ ଫାଉଣ୍ଡେସନ୍‍ ସଭାପତି ଡ. ଆରି ଗ୍ରାକା, ଏଫଆଇଭିବି ସଭାପତି ଫାବିଓ ଆଜେଭେଦୋ, ଏଫ୍‍ଆଇଭିବି ଜେନେରାଲ୍‍ ଡାଇରେକ୍ଟର ଷ୍ଟିଭ୍‍ ଟଟନ୍‍ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶ୍ରୀ ସାମନ୍ତ ଭାରତୀୟ ଭଲିବଲ୍‍ ସଂଘର ସଭାପତି ଭାବେ ପଦ ଛାଡ଼ିବା ପରେ ଭାରତରେ ଭଲିବଲ୍‍ର ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନଥିବା ଏହି ଆଲୋଚନା ଅବସରରେ ଏଫ୍‍ଆଇଭିବି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ତେବେ ଖୁବ୍‍ ଶୀଘ୍ର କିଟ୍‍ ଓ କିସ୍‍ ଜରିଆରେ ଭାରତ  ବିଶେଷକରି ଓଡ଼ିଶାରେ ଭଲିବଲର ପ୍ରସାର ନିମନ୍ତେ କିସରେ ଅନେକଗୁଡ଼ିଏ ସେଣ୍ଟର ଅଫ୍‍ ଏକ୍‍ସଲେନ୍‍ସ ଖୋଲାଯିବ ବୋଲି ଏଫ୍‍ଆଇଭିବି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି କେନ୍ଦ୍ରଗୁଡ଼ିରେ ଖେଳାଳି ଓ ପ୍ରଶିକ୍ଷକମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ସହିତ ଭଲିବଲ୍‍ କୋଚ୍‍ ଓ ରେଫରୀମାନଙ୍କ ପାଇଁ ଏକ ଏକାଡେମିକ୍‍ ପ୍ରୋଗ୍ରାମ ମଧ୍ୟ ଚାଲୁ କରାଯିବ । ଆଗାମୀ ଦିନରେ ଓଡ଼ିଶାରେ ୪ଶହ ବିଦ୍ୟାଳୟକୁ ଏହି ବିକାଶଧାରାରେ ସାମିଲ କରାଯିବ ଏବଂ ପ୍ରତ୍ୟେକ ବିଦ୍ୟାଳୟକୁ ଭଲିବଲ୍‍ ଓ ନେଟ୍‍ ଯୋଗାଇ ଦିଆଯିବ ବୋଲି ଏଫ୍‍ଆଇଭିବି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବିଚ୍‍ ଭଲିବଲ୍‍ର ବିକାଶ ପାଇଁ ମଧ୍ୟ ଏଫ୍‍ଆଇଭିବି ପକ୍ଷରୁ ପ୍ରଶିକ୍ଷକ ଯୋଗାଇ ଦିଆଯିବ। ଏହା ସହ ପ୍ରତିବର୍ଷ ଏଫ୍‍ଆଇଭିବି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଓଡ଼ିଶାରେ ହୋଇଥିବା ଭଲିବଲ୍‍ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବ। ଏଥିରେ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି, ଏହା ଦ୍ୱାରା ଓଡ଼ିଶାରେ ଭଲିବଲ୍‍ ଓ ବିଚ୍‍ ଭଲିବଲ୍‍ର ଯଥେଷ୍ଟ ବିକାଶ ଘଟିବା ସହ ପାଇଁ ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭା ସୃଷ୍ଟି ହୋଇପାରିବେ।