ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ଆପାତକାଳୀନ ଚିକିତ୍ସା ସେବାର ବାର୍ତ୍ତା ଦେଲା କିମ୍‍ସ

ଭୁବନେଶ୍ୱର : କିମ୍‍ସରେ ଚାଲିଥିବା ନିରନ୍ତର ଚିକିତ୍ସା ଶିକ୍ଷା (ସିଏମ୍‍ଇ) କାର୍ଯ୍ୟକ୍ରମରେ ଆଜି ଓଡ଼ିଶାର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଯୋଗ ଦେଇଥିବା ଚିକିତ୍ସକମାନେ ଆପାତକାଳୀନ ସମୟରେ କିଭଳି ସେବା ଯୋଗାଇ ଦେବେ ସେ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିଥିଲେ । କିମ୍‍ସରେ ପକ୍ଷରୁ ଆୟୋଜିତ ୫ମ ସିଏମ୍‍ଇ ଅବସରରେ ମେଡିକାଲ ଇମର୍ଜେନ୍‍ସୀ ପରିଚାଳନା ଉପରେ ପ୍ରଥମ ଥର ଲାଗି ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଏଭଳି ଶିକ୍ଷାର ସୁଯୋଗ ମିଳିଥିଲା । ରୋଗୀ ଗୁରୁତର ଆହତ ହୋଇ ଡାକ୍ତରଖାନା ଆସିଥିଲେ କିମ୍ବା ଆପାତକାଳୀନ ପରିସ୍ଥିତିରେ ରୋଗୀଙ୍କୁ କିଭଳି ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ତାହା ଉପରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବରିଷ୍ଠ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ । ଡାକ୍ତରୀ ଭାଷାରେ ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଗୋଲ୍‍ଡେନ୍‍ ଆୱାର ବୋଲି କୁହାଯାଇଥାଏ । ଏହି ସମୟ ଜୀବନ ବଞ୍ଚାଇବା ପାଇଁ ଅତି ମୂଲ୍ୟବାନ କୁହାଯାଇଥାଏ । ତେଣୁ ଏହି ସମୟ ମଧ୍ୟରେ ଡାକ୍ତରମାନେ ରୋଗୀକୁ କିଭଳି ଉପଯୁକ୍ତ ଭାବେ ଦକ୍ଷତାର ସହ ଚିକିତ୍ସା କରିପାରିବେ ତା ଉପରେ ବିଶେଷଜ୍ଞମାନେ ମତ ଦେଇଥିଲେ । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର, କିମ୍‍ସ ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି, କିମ୍‍ସ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି, କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ପିଜିଆଇଏମ୍‍ଇଆର ନିର୍ଦ୍ଦେଶିକା ଡା. ନିବେଦିତା ପାଣି, କିମ୍‍ସ ଉପାଧ୍ୟକ୍ଷ ଡା. ଶୁଭ୍ରାଂଶୁ ପାତ୍ର, କିମ୍‍ସ ମେଡିକାଲ ଅଧୀକ୍ଷକ ଡା. ରାମଚନ୍ଦ୍ର ଦାସ, ଇମର୍ଜେନ୍‍ସୀ ମେଡିସିନ୍‍ ବିଭାଗୀୟ ମୁଖ୍ୟ ଡା. ସିଦ୍ଧାର୍ଥ ମିଶ୍ର, ଇଏନ୍‍ଟି ମୁଖ୍ୟ ଡା. କବିକାନ୍ତ ସାମନ୍ତରାୟ, କ୍ରିଟିକାଲ୍‍ କେୟାର ମୁଖ୍ୟ ଡା. ସୁଜିତ୍‍ ପ୍ରଧାନ, ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସୁଧାଂଶୁ କୁମାର ରଥ, ଡା ଜ୍ୟେତ୍ସ୍ନାମୟୀ ପଣ୍ଡା, ମାନସିକ ରୋଗ ବିଭାଗ ମୁଖ୍ୟ ଡା. ଜୟପ୍ରକାଶ ରାବଣ, ନ୍ୟୁରୋସର୍ଜରୀ ମୁଖ୍ୟ ଡା. ଏନ୍‍ କେ ଦାସଙ୍କ ସମେତ ବହୁ ବିଶେଷଜ୍ଞ ଯୋଗଦେଇ ରୋଗୀ ଆଘାତପ୍ରାପ୍ତ ହୋଇ ଡାକ୍ତରଖାନାରେ ପହଞ୍ଚିବାର ପ୍ରଥମ ୧-୨ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ରୋଗୀଙ୍କୁ ଠିକ୍‍ ଢ଼ଙ୍ଗରେ ସର୍ବାଙ୍ଗୀନ ଯତ୍ନ, ଯତ୍ନର ସହ ପରିବହନ, ପରିଚାଳନା ଏବଂ ମେରୁଦଣ୍ଡ, ମୁଣ୍ଡ ଆଦି ସ୍ଥାନରେ କୌଣସି ଆଘାତ ନଲାଗି ରେଗୀକୁ ଉଠାଇବା ଆଦି ଉପରେ ନଜର ଦେବାକୁ ବିଶେଷଜ୍ଞମାନେ କହିଥିଲେ ।