ଏକସଙ୍ଗେ ହେଲା ହୃତପିଣ୍ଡର ମହାଧମନୀ ସହ ୩ ଭାଲଭ ଅସ୍ତ୍ରୋପଚାର
ଭୁବନେଶ୍ୱର, ୪ ।୫: କିମସ ହସ୍ପିଟାଲରେ ଏକ ଜଟିଳ ଓ ବିରଳ ହୃଦରୋଗର ସଫଳ ଅସ୍ତ୍ରୋପଚାର ହୋଇଛି । ଜଣେ ରୋଗୀଙ୍କଠାରେ ଥିବା ପାଞ୍ଚ ପାଞ୍ଚଟି ହୃଦ୍ରୋଗ ସମସ୍ୟା ଗୋଟିଏ ଥରରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଏହି ଅତ୍ୟନ୍ତ ଜଟିଳ ପ୍ରକ୍ରିୟାରେ ବେଣ୍ଟାଲ୍ ଅସ୍ତ୍ରୋପଚାର, ମିଟ୍ରାଲ୍ ଭାଲଭ୍ ଅସ୍ତ୍ରୋପଚାର, ଟ୍ରାଇକସ୍ପିଡ୍ ଭାଲଭ୍ ଅସ୍ତ୍ରୋପଚାର ଓ ଏଏସ୍ଡି କ୍ଲୋଜର ଆଦି ଅନ୍ତର୍ଭୁକ୍ତ ଥିଲା। ଏଭଳି ଅସ୍ତ୍ରୋପଚାର ଓଡ଼ିଶାର ଅନ୍ୟତମ ସଫଳ ହୃଦ୍ ରୋଗ ଅସ୍ତ୍ରୋପଚାର ବୋଲି କୁହାଯାଉଛି।
ସୂଚନା ଅନୁସାରେ ଦୀର୍ଘ ଦିନ ଧରି ଗୁରୁତର ହୃଦରୋଗରେ ପୀଡିତ ଥିବା ୩୨ ବର୍ଷୀୟ ଜନୈକ ଯୁବକ ଆବଶ୍ୟକୀୟ ସୁବିଧା ଏବଂ ଆର୍ଥିକ ସଙ୍କଟ ଯୋଗୁଁ ଚିକିତ୍ସା ହୋଇପାରୁନଥିଲେ। କିନ୍ତୁ ଗତ ମାସରେ ତାଙ୍କର ଅବସ୍ଥା ହଠାତ୍ ଖରାପ ହୋଇଯିବାରୁ ସେ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିବା ସହ ଅତ୍ୟଧିକ ଥକ୍କାପଣରେ ପୀଡିତ ହୋଇପଡ଼ିଥିଲେ। ସେ ବହୁ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ନପାଇବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ଏବଂ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ଶେଷରେ ସେ କିମ୍ସ ହୃଦରୋଗ ସର୍ଜନ ଡା. ନିମାଇଁ ଚରଣ ବେହେରାଙ୍କ ସହ ପରାମର୍ଶ କରିଥିଲେ। ବହୁ ପରୀକ୍ଷା ନିରୀକ୍ଷା ପରେ ଯୁବକଙ୍କଠାରେ ମାରଫାନ୍ ସିଣ୍ଡ୍ରୋମ୍ ବ୍ୟତୀତ ସେ ତିନୋଟି ହୃଦରୋଗ ଭାଲଭରେ ଗୁରୁତର ଲିକେଜ୍ ଓ ଏକ ଆଓର୍ଟିକ ରୁଟ୍ ଆନିଉରିଜମ୍ ଭଳି ଅନେକ ଜୀବନ-ବିପର୍ଯ୍ୟୟ ହୃଦରୋଗ ଜଟିଳତାରେ ପୀଡିତ ଥିବା ଡା. ବେହେରା ସୂଚନା ଦେଇଥିଲେ। ଏଭଳି ଜଟିଳ ହୃଦ୍ରୋଗ ଜନିତ ସମସ୍ୟା ପାଇଁ ଡା ବେହେରା ଚ୍ୟାଲେଞ୍ଜପୂର୍ଣ୍ଣ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଡା. ବେହେରା ଓ ତାଙ୍କ ଡାକ୍ତରୀ ଦଳର ପ୍ରୟାସ କ୍ରମେ ଗୋଟିଏ ଅସ୍ତ୍ରୋପଚାରରେ ସମସ୍ତ ପାଞ୍ଚଟି ସମସ୍ୟାର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଏଥିରେ ଡା ଅଞ୍ଜନ କୁମାର ଦାସ ଆନାସ୍ଥେସିଆ ଏବଂ ପରବର୍ତ୍ତୀ ଅସ୍ତ୍ରୋପଚାର ଓଉଟ ପରିଚାଳନା ଦାୟିତ୍ୱରେ ଥିଲେ।
ପ୍ରାୟ ପାଞ୍ଚ ଘଣ୍ଟା ମଧ୍ୟରେ ଅସ୍ତ୍ରୋପଚାର ସଫଳତାର ସହ ସମାପ୍ତ ହୋଇଥିଲା ଏବଂ ପରଦିନ ରୋଗୀଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ମୁକ୍ତ କରାଯାଇଥିଲା। ରୋଗୀ ମାତ୍ର ୬ ଦିନ ମଧ୍ୟରେ ସ୍ଥିର ଅବସ୍ଥାରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଏବେ ସୁସ୍ଥ ଅଛନ୍ତି। ଏହି ସଫଳତାରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଜଟିଳ ମାମଲାର ସଫଳ ଚିକିତ୍ସା ପାଇଁ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଓ ରୋଗୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି।