କିଟ୍‍ ଟିବିଆଇକୁ ବିଶ୍ୱ ମାନ୍ୟତା

ଜୈବ-ସର୍ଜନା ପାଇଁ ପାଇଲା ଇନ୍‍କ୍ୟୁବେଟର୍‍ ଅଫ୍‍ ଦି ଇୟର ପୁରସ୍କାର

ଭୁବନେଶ୍ୱର, ୧ ।୧୧: ଟେକ୍ନୋଲୋଜି ଇନ୍‍କ୍ୟୁବେସନ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କିଟ୍‍ର ଇନୋଭେଟିଭ୍‍ ହବ୍‍ କିଟ୍‍-ଟିବିଆଇକୁ ଇନ୍‍କ୍ୟୁବେଟର୍‍ ଅଫ୍‍ ଦି ଇୟର୍‍ ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । ବ୍ୟାଙ୍କକଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍‍ ଆସୋସିଏସନ୍‍ ଅଫ୍‍ ବିଜିନେସ୍‍ ଇକ୍ୟୁବେସନ୍‍ (ଏଏବିଆଇ) ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସମ୍ମାନଜନକ ପୁରସ୍କାର କିଟ୍‍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କିଟ୍‍ ଆର୍‍ ଆଣ୍ଡ ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ସୁଆର ଗ୍ରହଣ କରିଥିଲେ। ବର୍ତ୍ତମାନ ସୁଦ୍ଧା କିଟ୍‍ ଟିବିଆଇ ଜୀବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ଡିଜିଟାଲ୍‍ ହେଲ୍‍ଥ, ନବୀକରଣଯୋଗ୍ୟ ଶକ୍ତି, ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି, କୃଷି ପ୍ରଯୁକ୍ତି, ସବୁଜ ପ୍ରଯୁକ୍ତି, ସାମାଜିକ ସର୍ଜନା ଓ ଉତ୍ପାଦନ ଭିତ୍ତିକ ସର୍ଜନା ଭଳି ବିଭିନ୍ନ କ୍ଷେତ୍ରରେ ୪ଶହରୁ ଊର୍ଦ୍ଧ୍ୱ ଷ୍ଟାର୍ଟ ଅପ୍‍କୁ ସହଯୋଗ କରି ଆସୁଛି।

କିଟ୍‍ ଟିବିଆଇକୁ ଭାରତ ସରକାରଙ୍କ ଡିଏସ୍‍ଟି-ନିଧି ଯୋଜନା, ଡିବିଟି-ବିରାକ, ମେଇଟି-ଏମ୍‍ଏସ୍‍ଏଚ୍‍, ଏମ୍‍ଏସ୍‍ଏମ୍‍ଇ, ଆଇଡେକ୍‍ସ (ପ୍ରତିରକ୍ଷା ମନ୍ତ୍ରାଳୟ) ଭଳି ବିଭିନ୍ନ ଫଣ୍ଡିଂ ସଂସ୍ଥା ସହଯୋଗ କରିଆସୁଛନ୍ତି। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ କିଟ୍‍ ଟିବିଆଇକୁ ସେଣ୍ଟର ଅଫ୍‍ ଏକ୍‍ସଲେନ୍‍ସ ମାନ୍ୟତା ପ୍ରଦାନ କରାଯାଇଛି। ଏହା ସହିତ ଡିବିଟି-ବିରାକ ପ୍ରଯୁକ୍ତି ପ୍ରୋତ୍ସାହନ ନିମନ୍ତେ କିଟ୍‍ ଟିବିଆଇରେ ବିରାକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିଛି। ଏହି କେନ୍ଦ୍ର ମାଧ୍ୟମରେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳରେ ଜୈବ-ଉଦ୍ୟୋଗୀ ତିଆରି କରିବାରେ ସହଯୋଗ କରିଆସୁଛି। ଏହା ମାନ୍ୟତା ଫଳରେ କିଟ୍‍ ଟିବିଆଇ କେବଳ ଭାରତର ଶ୍ରେଷ୍ଠ ଇନ୍‍କ୍ୟୁବେଟର୍‍ ଭାବେ ନୁହେଁ, ବରଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଶ୍ରେଷ୍ଠ ଇନ୍‍କ୍ୟୁବେଟର ଭାବେ ସ୍ୱୀକୃତି ଲାଭ କରିଛି।

ଏହି ସଫଳତାରେ ଆନନ୍ଦ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡ. ସୁଆର ଓ କିଟ୍‍ ଟିବିଆଇର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏଭଳି ଅନ୍ତର୍ଜାତୀୟ ମାନ୍ୟତା ଦ୍ୱାରା କିଟ୍‍ ଟିବିଆଇ ଆହୁରି ଶୀର୍ଷକୁ ଉଠିବା ସହ ଏହି ସ୍ୱୀକୃତି ଆମକୁ ପ୍ରଯୁକ୍ତି ସର୍ଜନା କ୍ଷେତ୍ରରେ ଆହୁରି ଅନେକ ବଡ଼ବଡ଼ ସର୍ଜନା କରିବାରେ ପ୍ରେରଣା ଯୋଗାଇବ।