କିଟ୍‍ ଗବେଷଣା ନିର୍ଦ୍ଦେଶକ ଆଇଏନ୍‍ଏସ୍‍ଏ ଫେଲୋ ନିର୍ବାଚିତ

ଭୁବନେଶ୍ୱର, ୨୬ ।୧୦: କିଟ୍‍ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ନିର୍ଦ୍ଦେଶକ ପ୍ରଫେସର ଗୋପାଳ କୁଣ୍ଡୁ ଇଣ୍ଡିଆନ୍‍ ନ୍ୟାସ୍‍ନାଲ୍‍ ସାଇନ୍‍ସ ଏକାଡେମୀ (ଆଇଏନ୍‍ଏସ୍‍ଏ)ର ଫେଲୋ ଭାବେ ନିର୍ବାଚିତ ହୋଇଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟରେ ନୂତନ ଔଷଧର ବିକାଶ ନିମନ୍ତେ ଗବେଷଣା, ବିଷ୍ଟ ପ୍ରୋଷ୍ଟେଟ୍‍, ଫୁସ୍‍ଫୁସ୍‍ ଓ ଚର୍ମ କର୍କଟ ତଥା କର୍କଟର ବିବିଧ ଥେରାପି କ୍ଷେତ୍ରରେ ପ୍ରଫେସର କୁଣ୍ଡୁ ଗବେଷଣା କରୁଛନ୍ତି । ପୂର୍ବରୁ ପ୍ରଫେସର କୁଣ୍ଡୁ ୨୦୦୪ରେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ଏବଂ ୨୦୦୩ରେ ନ୍ୟାସ୍‍ନାଲ୍‍ ବାୟୋସାଇନ୍‍ସ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଏହା ବ୍ୟତୀତ ସେ ଗ୍ରୀସ୍‍ରୁ ଅନ୍‍କୋଲୋଜିରେ ଅନ୍ତର୍ଜାତୀୟ ପୁରସ୍କାର ପାଇବା ସହ ଆମେରିକାର ମାୟୋ କ୍ଲିନିକ୍‍ ଦ୍ୱାରା ଅନ୍ତର୍ଜାତୀୟ ଯୁବ ଇନ୍‍ଭେଷ୍ଟିଗେଟର ଭାବେ ପୁରସ୍କୃତ ହୋଇଛନ୍ତି । ପ୍ରଫେସର କୁଣ୍ଡୁ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଏକାଡେମୀ ଅଫ୍‍ ସାଇନ୍‍ସ ଏବଂ ନ୍ୟାସ୍‍ନାଲ୍‍ ଏକାଡେମୀ ଅଫ୍‍ ସାଇନ୍‍ସ, ଇଣ୍ଡିଆ (ଏନ୍‍ଏଏସ୍‍ଆଇ) ଆଲ୍ଲାହବାଦରୁ ଫେଲୋସିପ ପାଇଥିଲେ । ତାଙ୍କର ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଫେସର କୁଣ୍ଡୁଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସଫଳତା କିଟ୍‍ରେ ବିଭିନ୍ନ କ୍ଷେତ୍ରରେ ଗବେଷଣାରତ ଗବେଷକଙ୍କୁ ଉତ୍ସାହିତ କରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।