ବିଶ୍ଵସ୍ତରୀୟ ହେବ କିଟ୍‍ ପଲିଟେକ୍‍ନିକ

ଭୁବନେଶ୍ୱର, ୨୦ ।୮: ଖୁବ୍‍ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍‍ନିକ ଢାଞ୍ଚାର ରୂପ ନେବ କିଟ୍‍ ପଲିଟେକ୍‍ନିକ । ଏଥିପାଇଁ କିଟ୍‍ ପଲିଟେକ୍‍ନିକର ଅଧ୍ୟାପକ ଓ କର୍ମଚାରୀମାନେ ଆଧୁନିକ ଜ୍ଞାନ କୌଶଳ ଆହରଣ ପାଇଁ ସିଙ୍ଗାପୁର ନନ୍ୟାଙ୍ଗ ପଲିଟେକ୍‍ନିକ ପରିଦର୍ଶନ କରିବେ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି । ରବିବାର କିଟ୍‍ ପଲିଟେକ୍‍ନିକର ୨୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାମନ୍ତ ଏହି ସୂଚନା ଦେଇଛନ୍ତି । ଚଳିତବର୍ଷ କା୍ୱଲିଟି କାଉନସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସନାଲ୍‍ ଆକ୍ରିଡ଼ିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍) କ୍ୟୁସିଆଇ ର‌୍ୟାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକନିକ୍‍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିବା ଏବଂ ପ୍ରତିବର୍ଷ ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶ ପାଉଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀ ତାଲିକାରେ ଲଗାତର କିଟ୍‍ ଛାତ୍ରଛାତ୍ରୀ ସ୍ଥାନ ପାଇଆସୁଥିବାରୁ ଶ୍ରୀ ସାମନ୍ତ କିଟ୍‍ ପଲିଟେକ୍‍ନିକର ଅଧ୍ୟକ୍ଷ ପ୍ରଫେସର ତନ୍ମୟ ମହାନ୍ତି ଓ ଅନ୍ୟ ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଠାରେ ନୂଆ କନ୍‍ଫରେନ୍‍ସ ହଲ୍‍ ଉଦ୍‍ଘାଟନ କରିବା ଅବସରରେ କିଟ୍‍ ପଲିଟେକ୍‍ନିକର ନୂଆ କ୍ୟାମ୍ପସ ସହ ଅତ୍ୟାଧୁନିକ ସୁବିଧା, ପିଲାମାନଙ୍କ ପାଇଁ ଇଣ୍ଡଷ୍ଟ୍ରି ରିଲେସନ୍‍ସିପ୍‍, ଇଣ୍ଡଷ୍ଟ୍ରି ଭିଜିଟ୍‍ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି ଅବସରରେ କିଟ୍‍ ଓ କିସ୍‍ ସମ୍ପାଦକ ଆର ଏନ୍‍ ଦାଶ କହିଲେ, ଆରମ୍ଭରୁ କିଟ୍‍ ପଲିଟେକ୍‍ନିକ ନିଜର ଶିକ୍ଷାଦାନର ମାନ ସର୍ବଦା ବଜାୟ ରଖିଆସିଛି । ପ୍ରତିଷ୍ଠାତାଙ୍କ ଦିଗ୍‍ଦର୍ଶନରେ ଶିକ୍ଷକମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଯୋଗୁଁ କିଟ୍‍ ପଲିଟେକ୍‍ନିକ ସବୁବେଳେ ଶୀର୍ଷରେ ରହିଆସିଛି । ଖୁବ୍‍ ଶୀଘ୍ର ଏହା ଭାରତର ଅଗ୍ରଣୀ ପଲିଟେକ୍‍ନିକରେ ପରିଣତ ହେବ ବୋଲି ଶ୍ରୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ପଲିଟେକ୍‍ନିକର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।