କିଟ୍‍ ଆନ୍ତର୍ଜାତିକ ଛାୟା ଜାତିସଂଘ ଉଦ୍‌ଯାପିତ

ଭୁବନେଶ୍ୱର, ୮ ।୧୦: କିଟ୍ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା କିଟ୍ ଇଣ୍ଟରନ୍ୟାସନାଲ ମଡେଲ ୟୁନାଇଟେଡ୍ ନେସନସ୍ (ଏମୟୁଏନ୍‌)ର ୧୧ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦେଶବ୍ୟାପୀ ୫ଶହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୩ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏହା ବ୍ୟତୀତ ନାଇଜେରିଆ, ସୋମାଲିଆ, ବାଂଲାଦେଶ, ସିରିଆ, ଇଥିଓପିଆ, ଟୋଗୋ ଓ ଇଣ୍ଡୋନେସିଆ ଆଦି ଦେଶର ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ଏହା ହେଉଛି ଏସିଆର ସବୁଠାରୁ ବଡ଼ ଛାୟା ଜାତିସଂଘ। ଉଦ୍‌ଘାଟନୀ ଉତ୍ସବରେ ଟୋଗୋର ଉଚ୍ଚଶିକ୍ଷା ଓ ଗବେଷଣା ମନ୍ତ୍ରଣାଳୟର ସ୍କଲାରସିପ୍ ଓ ଇଣ୍ଟର୍ନସିପ୍ ବିଭାଗର ନିର୍ଦ୍ଦେଶକ କୋମଲା ଏ. ଜେରିସ୍ ଜୋଗବେମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଟୋଗୋ ଦୂତାବାସର ଭାରପ୍ରାପ୍ତ ଅଧିକାରୀ ୟାୱା ଏଡେମ୍ ଆକପେମାଡୋ ଯୋଗ ଦେଇଥିଲେ। କିଟ୍‌-ମୁନ୍‍ର ୧୧ତମ ସଂସ୍କରଣର ବିଷୟବସ୍ତୁ ଥିଲା ‘ଏନ୍‌ଗେଜ୍ ଟୁ ଏମ୍‍ପାୱାର’ ଥିଲା। ଏହା ଯୁବଗୋଷ୍ଠୀ ମଧ୍ୟରେ ସଶକ୍ତିକରଣ ଏବଂ ଅଭିବୃଦ୍ଧିକୁ ସୁଗମ କରିବ। ଏହା ଭବିଷ୍ୟତର ଏକ ସୁନ୍ଦର ବିଶ୍ୱ ଗଠନ ଦିଗରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜି-୨୦ ନେତୃତ୍ୱରେ ଭାରତର ଚମତ୍କାର ଭୂମିକାକୁ ପ୍ରଶଂସା କରି ଜୋଗ୍ୱେମା ଜାତିସଂଘ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ତ୍ତମାନ ଆକ୍ରମଣ, ଯୁଦ୍ଧ, ଆତଙ୍କବାଦ, ଖାଦ୍ୟ ଅଭାବ, ସ୍ୱାସ୍ଥ୍ୟ ସେବା ଏବଂ ଶରଣାର୍ଥୀ ସଙ୍କଟ ସମେତ ଅନେକ ପ୍ରସଙ୍ଗ ଉଭା ହୋଇଛି। ମାନବ ବିକାଶ କ୍ଷେତ୍ରରେ ଉତ୍କୃଷ୍ଟ ହେବା ପାଇଁ ଟୋଗୋ, ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, କିଟ୍‍ ଆନ୍ତର୍ଜାତିକ ମୁନ୍‍ ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ଛାୟା ଜାତିସଂଘ।

ଚଳିତବର୍ଷର ବିଷୟବସ୍ତୁ ‘ଏନ୍‌ଗେ୍‌ଜ୍ ଟୁ ଏମ୍‌ପାୱାର’କୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍ (କିସ୍‌) ଅତି ସୁନ୍ଦର ଭାବେ ପୂରଣ କରିପାରିଛି। ଛାୟା ଜାତିସଂଘ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱର ପ୍ରମୁଖ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ସମାଧାନ ପାଇଁ ଆଲୋଚନା ଜରିଆରେ ପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କିଟ୍‌-ମୁନ୍‍ରେ ୩୫ ଜଣ କାର୍ଯ୍ୟକାରିଣୀ ବୋର୍ଡ ସଦସ୍ୟ ଥିବାବେଳେ ଏଥିରେ ଇଣ୍ଡୋନେସିଆ ଏବଂ ବାଂଲାଦେଶର ଛାତ୍ର ପ୍ରତିନିଧି ରହିଥିଲେ। କିଟ୍‍ ମୁନ୍‍ର ମହାସଚିବ ସୀତେଶ ସିଂହ ଏହି ଛାୟା ଜାତିସଂଘର ଅଧ୍ୟକ୍ଷତା କରିଥିଲେ। ୨୦୧୩ରେ ଆରମ୍ଭ ହେବା ପରଠାରୁ କିଟ୍‌-ମୁନ୍‍ର ଆଦୃତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱରେ ଦାରିଦ୍ର‌୍ୟ, କ୍ଷୁଧା, ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ନିରାପତ୍ତା ଏବଂ ଶରଣାର୍ଥୀ ସଙ୍କଟ ଉପରେ ଆଲୋଚନା ଜରିଆରେ ପରିବର୍ତ୍ତନ ଚାହୁଁଥିବା ଭବିଷ୍ୟତର ନେତା ଓ କୂଟନୀତିଜ୍ଞଙ୍କ ପାଇଁ ଏହା ଏକ ଉପଯୁକ୍ତ ଫୋରମ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ସମ୍ପର୍କ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, ଅତିରିକ୍ତ କୁଳସଚିବ ଡା. ଶ୍ୟାମ ସୁନ୍ଦର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।