RRB-NTPC ପରୀକ୍ଷା ବିବାଦ କୁ ନେଇ ଖାନ ସାର୍ ଙ୍କ ନୂଆ ଭିଡିଓ

RRB-NTPC ପରୀକ୍ଷାକୁ ନେଇ ବିବାଦ ବଢିବା ପରେ ବିହାର ଛାତ୍ର ସଂଗଠନ ପକ୍ଷରୁ ଶୁକ୍ରବାର (ଜାନୁଆରୀ ୨୮ ) ରେ ବିହାର ବନ୍ଦ ଡାକରା ଦିଆଯାଇଛି ଏବଂ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରିଛି। ଏହି ସମୟରେ,ପାଟନା ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍ ଖାନ୍ ସାର୍ ଙ୍କ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି ଏବଂ ସେ ଛାତ୍ରମାନଙ୍କୁ ବିରୋଧ ନକରିବାକୁ ହାତ ଯୋଡି ନିବେଦନ କରୁଥିବାର ଦେଖା ଯାଇଛି ।
ସୂଚନାନୁସାରେ ବିହାରରେ ରେଲୱେ ରିକ୍ୟୁଟମେଣ୍ଟ୍ ଏନଟିପିସି ଓ ଗ୍ରୁପ୍ ଡି ପରୀକ୍ଷାରେ ଅନିୟମିତତା ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଆଶାୟୀ ପ୍ରାର୍ଥୀ । ଏପରିକି ଅସନ୍ତୋଷ ଛାତ୍ର ଏତେ ଉଗ୍ର ହୋଇଉଠିଥିଲେ ଯେ, ପ୍ଲାଟଫର୍ମରେ ପାର୍କିଂ କରିଥିବା ଏକ ଟ୍ରେନରେ ନିଆଁ ଲଗାଇଦେଇଥିଲେ । ଫଳରେ ଦୀର୍ଘ ଘଣ୍ଟା ଧରି ବ୍ୟାହତ ହୋଇଥିଲା ରେଳ ସେବା । ଏହି ଘଟଣାରେ ଛନ୍ଦି ହୋଇପଡିଥିଲେ ବିହାରର ଜଣାଶୁଣା ଖାନ୍ ସାର । ସେ ନିଜର ଏକ ଭିଡିଓ ରିଲିଜ୍ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନରେ ଅଂଶଗ୍ରହଣ ନକରିବାକୁ ନିବେଦନ କରିଥିଲେ। ସେ କହିଥିଲେ, ‘ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମେ ଛାତ୍ରଙ୍କ ସହ ଅଛୁ। ଖାନ୍ ସାର କହିଛନ୍ତି ଯେ, ‘ଛାତ୍ର ଆନ୍ଦୋଳନ ଓ ହିଂସା ପରେ ସରକାର ସେମାନଙ୍କ ଦାବି ଗୁଡିକୁ ବିଚାର କରିଛନ୍ତି । ସେମାନଙ୍କ ଦାବିକୁ ଗ୍ରହଣ ମଧ୍ୟ କରିଛନ୍ତି ସରକାର ।ତେଣୁ ଛାତ୍ରମାନେ ଜାନୁଆରୀ ୨୮ ତାରିଖରେ କୌଣସି ବିରୋଧ ପ୍ରଦର୍ଶନରେ ଭାଗ ନିଅନ୍ତୁ ନାହିଁ । ଯଦି ଏପରି କରନ୍ତି ତେବେ ସେମାନେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ।ରେଳ ମନ୍ତ୍ରୀ ମଧ୍ୟ ଏହି କଥାରେ ରାଜି ହୋଇ ୨୦ ପ୍ରତିଶତ ଅଧିକ ରେଜଲ୍ଟ ଦେବାକୁ ସହମତି ପ୍ରକାଶ କରିଛନ୍ତି । ଯେତିକି ପ୍ରାର୍ଥୀଙ୍କ ନାଁ ରେଜଲ୍ଟ ତାରିଖରେ ଅଛି ତା ଠାରୁ ଆହୁରି ଅଧିକ ୩.୫ ଲକ୍ଷ ଛାତ୍ରଛାତ୍ରୀଙ୍କ ନାଁ ଏହି ରେଜଲ୍ଟ ଲିଷ୍ଟରେ ସାମିଲ କରାଯିବ । ଖୋଦ୍ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିଛନ୍ତି । ତେଣୁ ଏହି ଘଟଣାକୁ ଆଉ ଗୁରୁତର କରନ୍ତୁ ନାହିଁ । କାରଣ ଛାତ୍ର ଆନ୍ଦୋଳନର ଆଳରେ ଅନ୍ୟ ସଂଗଠନ ଗୁଡିକ ନିଜ ସ୍ୱାର୍ଥ ପୁରଣ କରିବାକୁ ହିଂସା ସୃଷ୍ଟି କରିବା ସହ ରାଜନୀତି କରିବାର ଅନେକ ସମ୍ଭାବନା ରହିଛି । ତେଣୁ ଏହି ଘଟଣାକୁ ନେଇ ଆଉ ଆନ୍ଦୋଳନ ନକରିବାକୁ ଖାନ୍ ସାର ଛାତ୍ରମାନଙ୍କୁ ଅପିଲ କରିଛନ୍ତି । ତେବେ ମଙ୍ଗଳବାର ଦିନ ଯେଉଁ ହିଂସାକାଣ୍ଡ ଦେଖାଦେଇଥିଲା ତାହାକୁ ଆଧାର କରି ଖାନ୍ ସାରଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।ଏହି ଘଟଣାକୁ ନେଇ ବିହାରରେ ବନ୍ଦ ଡାକରା ଦେଇଛନ୍ତି ଉତ୍ୟକ୍ତ ଛାତ୍ର । ଏହାକୁ ସମର୍ଥନ କରିଛନ୍ତି ଆରଜେଡି ସମେତ ଅନ୍ୟ ରାଜନୈତିକ ଦଳ I

Comments (0)
Add Comment