ଖଲ୍ଳିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ: ଆଣ୍ଟି ରାଗିଂ କମିଟିର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ରୀଙ୍କୁ ରାଗିଂ ଭଳି ଲଜ୍ଳାଜନକ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଖଲ୍ଲିକୋଟ ଜୁନିୟର କଲେଜରେ ରାଗିଂ ଅଭିଯୋଗ ହୋଇଛି । ସଂପୃକ୍ତ କଲେଜର ଜଣେ ଛାତ୍ରୀ ତାଙ୍କୁ କିଛି ଛାତ୍ର ରାଗିଂ କରିଥିବା ଲିଖିତ ଭାବେ ଅଧ୍ୟକ୍ଷଙ୍କୁ ଜଣାଇଛନ୍ତି । ଏହାକୁ ନେଇ ସହରରେ ଜୋରଦାର ଚର୍ଚ୍ଚର୍ା ଚାଲିଛି । ଖଲ୍ଲିକୋଟ ଜୁନିଅର କଲେଜର ଜଣେ ଛାତ୍ରୀ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କେତେକ ନିର୍ଦ୍ଦିଷ୍ଟ ଛାତ୍ର ରାଗିଂ କରୁଛନ୍ତି । ଏପରିକି କ୍ଳାସ୍ ରୁମକୁ ଗଲାବେଳେ ଏବଂ ଅନ୍ୟ ସମୟରେ ଏହି ର‌୍ୟାଗିଂ ଚାଲୁରହିଛି । କଲେଜର ଅଧ୍ୟକ୍ଷ ରାଧାକାନ୍ତ ନାୟକ କହିଛନ୍ତି ଯେ ଅଭିଯୋଗକୁ କଲେଜର ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି । କମିଟି ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଠାରେ ଉଲ୍ଳେଖଯୋଗ୍ୟ ଯେ ଛାତ୍ରୀଙ୍କୁ କିଛି ଦିନ ତଳେ ରାଗିଂ ହୋଇଥିଲା ଏବଂ ସେ ମୌଖିକ ଭାବେ କମିଟିକୁ ଜଣାଇଥିଲେ । ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି କଲେଜରେ ଗତ ସେପ୍ଟେମ୍ବରରେ ଆଉ ଜଣେ ଛାତ୍ରୀ ମଧ୍ୟ ଅଭିଯୋଗ କରିଥିଲେ । ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତିକ୍ରମେ ସଂପୃକ୍ତ ଛାତ୍ରମାନଙ୍କ ସଂପର୍କରେ ଅଭିଭାବକଙ୍କୁ ଅବଗତ କରାଯିବା ସହ ପୁଲିସକୁ ମଧ୍ୟ ଜଣାଯାଇଥିଲା । ପୁଲିସ ଏହା ଯେହେତୁ ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରୀଣ ବିଷୟ ନିଜେ ପଦକ୍ଷେପ ନେବା ପାଇଁ କହିଥିଲା । କିନ୍ତୁ କର୍ତ୍ତୁପକ୍ଷ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନନେଇ ଚୁପ୍ ରହିଥିଲେ । ଏଠାରେ କର୍ତ୍ତୃପକ୍ଷଙ୍କ ଅବହେଳା ପରିଲକ୍ଷିତ ହୋଇଛି । ତେଣୁ ରାଗିଂରେ ସଂପୃକ୍ତ ଛାତ୍ରମାନେ ଆଦୌ ଖାତିର ନକରି ପୁଣି ଥରେ ଆଉ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ସାହସ ଜୁଟାଇଲେ ବୋଲି ଅଭିଭାବକ ମହଲରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ ସହରରେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ରହିଛି । ଜିଲ୍ଳାର ସମସ୍ତ କଲେଜରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ ସେଲ୍ ରହିଛି । ତେବେ ଏହି ସେଲ୍ ଠିକ୍ ଭାବେ କାମ କରୁନଥିବାରୁ ରାଗିଂ ଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଭାବକ ମହଲରେ ଅଭିଯୋଗ ହୋଇଛି ।