କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲଙ୍କ ପ୍ରସ୍ତାବ: ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଷଙ୍କ ଫଟୋ ଛପାଯାଉ

ନୂଆଦିଲ୍ଲୀ: ଭାରତରେ ପ୍ରଚଳିତ ସବୁ ନୋଟ୍‌ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳିଥାଏ । ସ୍ୱାଧୀନତାପ୍ରାପ୍ତ ପରଠାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଆମ୍ ଆଦ୍‌ମୀ ପାର୍ଟ (ଆପ୍‌) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ଭାରତୀୟ ନୋଟ୍‌ରେ ଏଣିକି ମହାତ୍ମା ଗାନ୍ଧୀଙ୍କ ସମେତ ହିନ୍ଦୁ ଦେବାଦେବୀ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋକୁ ସ୍ଥାନିତ କରିବାକୁ ସେ ପ୍ରସ୍ତାବ ଦେଇଥିବା ପ୍ରକାଶ । ଏହାପଛର କାରଣ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଲକ୍ଷ୍ମୀ ଧନଦାତ୍ରୀ ହୋଇଥିବାବେଳେ ଗଣେଶ ହେଉଛନ୍ତି ବିଘ୍ନନାଶକ । ତେଣୁ ଏହି ଦୁଇ ଦେବାଦେବୀଙ୍କ ଫଟୋ ରହିଲେ, ଲୋକଙ୍କର ଅଧିକ ମଙ୍ଗଳ ହେବାସହିତ ଦେଶର ଅର୍ଥନୀତିରେ ମଧ୍ୟ ଉନ୍ନତି ଘଟିବ ବୋଲି କେଜ୍ରିୱାଲ ଆଶାବ୍ୟକ୍ତ କରିଛନ୍ତି । ନୋଟ୍‌ରେ ଗୋଟିଏପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଥିବାବେଳେ ଅନ୍ୟ ପାଶ୍ୱର୍ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଲକ୍ଷ୍ମୀ ଓ ଗଣେଶଙ୍କ ଆଶୀର୍ବାଦ ମିଳିଲେ, ଅଧିକାଂଶ ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ପୁରୁଣା ନୋଟ୍‌ରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବାରୁ ନୂତନଭାବେ ମୁଦ୍ରଣ କରାଯାଉଥିବା ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋକୁ ସ୍ଥାନିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ମର୍ମରେ କେଜ୍ରିୱାଲ ଇଣ୍ଡୋନେସିଆର ଉଦାହରଣ ଦେଇଛନ୍ତି । ଇଣ୍ଡୋନେସିଆ ବିଶ୍ୱର ସବୁଠାରୁ ମୁସଲମାନ ବହୁଳ ରାଷ୍ଟ୍ର ହୋଇଥିବାବେଳେ ସେଠାକାର ନୋଟ୍‌ରେ ଗଣେଶଙ୍କ ଫଟୋକୁ ସ୍ଥାନିତ କରାଯାଇଛି । ଯଦି ଇଣ୍ଡୋନେସିଆ ସରକାର ଏଭଳି ନିଷ୍ପତ୍ତି ନେଇସାରିଛନ୍ତି, ତେବେ ଆମେ କାହିଁକି ଏଭଳି ନିଷ୍ପତ୍ତି ନେଇପାରିବୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ କେଜ୍ରିୱାଲଙ୍କ ଏଭଳି ପ୍ରସ୍ତାବକୁ ବିଜେପି ପ୍ରତ୍ୟାଖ୍ୟାନ କରିଦେଇଛି । ଆଗକୁ ହିମାଚଳ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁୁ ଯାଉଥିବାବେଳେ କେଜ୍ରିୱାଲ ହିନ୍ଦୁତ୍ୱ କାର୍ଡ ଖେଳିବାକୁ ଏଭଳି ପ୍ରସ୍ତାବ ଦେଇଥିବା ବିଜେପି ପକ୍ଷରୁ ଆକ୍ଷେପ କରାଯାଇଛି ।

ଆଲ୍ଲା, ଯୀଶୁଙ୍କ ଫଟୋ ପାଇଁ ଦାବି-ଭାରତୀୟ ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ସ୍ଥାନିତ କରିବାକୁ କେଜ୍ରିୱାଲ ପ୍ରସ୍ତାବ ଦେବାପରେ କଂଗ୍ରେସ ନେତା ସଲମାନ ଅନିସ୍ ସୋଜ୍ ଏହି ପ୍ରସଙ୍ଗରେ ଆଉ ପାଦେ ଆଗେଇଯାଇ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଯଦି ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯିବ, ତାହାହେଲେ ଆଲ୍ଲା, ଯୀଶୁ, ଗୁରୁ ନାନକ ଏବଂ ବୁଦ୍ଧଙ୍କ ଫଟୋକୁ ସାମିଲ କରାଗଲେ ଅଧିକ ସୁଖସମୃଦ୍ଧି ମିଳିବ ବୋଲି ସେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି । ତେବେ ସୋଜ୍‌ଙ୍କ ଏଭଳି ମନ୍ତବ୍ୟକୁ ଟ୍ୱିଟର ଉପଭୋକ୍ତାମାନେ ନାପସନ୍ଦ କରିଛନ୍ତି । ଏଭଳି ବିବାଦୀୟ ମନ୍ତବ୍ୟକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଟ୍ୱିଟର ଉପଭୋକ୍ତାମାନେ ଦାବି କରିଛନ୍ତି ।