ଡେରାଡୁନ: ବାବାଙ୍କ ଦର୍ଶନ ନିମନ୍ତେ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢିବା ସହିତ ସରକାରଙ୍କ ବିପୁଳ ରାଜସ୍ୱ ଆୟ ମଧ୍ୟ ହେଉଛି। କେଦାରନାଥ ଧାମ କବାଟ ଖୋଲିବା ପରଠାରୁ ଏପର୍ଯ୍ୟନ୍ତ ଗୋଟିଏ ମାସରେ ୭ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିବା ବେଳେ ସରକାରୀ ସୁବିଧାଠୁ ଆରମ୍ଭ କରି ସ୍ଥାନୀୟ ବ୍ୟବସାୟୀମାନେ ୨୦୦ କୋଟି ଟଙ୍କାରୁ ଅଧିକ କାରବାର କରିଛନ୍ତି। ଉତ୍ତରାଖଣ୍ଡ କେଦାରନାଥ ଯାତ୍ରା ପ୍ରତିବର୍ଷ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ କେଦାରନାଥ ଧାମ ଯାତ୍ରା ଏବେ ଉତ୍ତରାଖଣ୍ଡ ଆସ୍ଥା ଓ ସଂସ୍କୃତିର କେନ୍ଦ୍ର ପାଲଟିଛି। ସରକାରଙ୍କ ଲକ୍ଷ୍ୟ କେବଳ ତୀର୍ଥ ଯାତ୍ରୀଙ୍କୁ ସୁବିଧା ଦେବା ନୁହେଁ ବରଂ ସ୍ଥାନୀୟ ଯୁବକ, ମହିଳା ଓ ବ୍ୟବସାୟୀଙ୍କୁ ଆର୍ଥିକ ରୂପେ ମଜଭୁତ କରିବା। ଏଣୁ ଆମେ ଚେଷ୍ଟା କରୁଛୁ ଯାତ୍ରା ସୁରକ୍ଷିତ, ସୁଗମ ଓ ସମୃଦ୍ଧ ହେଉ। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ ୨୦୨୫ ଯାତ୍ରା ନିମନ୍ତେ ମେ ୨ ତାରିଖ ଦିନ ବାବା କେଦାରନାଥଙ୍କ କବାଟ ତୀର୍ଥ ଯାତ୍ରୀଙ୍କ ପାଇଁ ଖୋଲିଥିଲା। ଇତି ମଧ୍ୟରେ ଏହି ଯାତ୍ରା ୧ ମାସ ପୂରଣ କରିଥିବା ବେଳେ ଜୁନ ୧ ତାରିଖ ଦିନ ବାବାଙ୍କ ଦର୍ଶନାର୍ଥୀଙ୍କ ସଂଖ୍ୟା ୭ଲକ୍ଷ ପାର କରିଛି।