କଟକ: କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଶ୍ରୀକାନ୍ତ ଦାସ। ତାଙ୍କ ଘର ଯାଜପୁର ଜିଲ୍ଲାରେ। ଶ୍ରୀକାନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ସେ ଚିନ୍ତିତ ରହୁଥିଲେ। ବର୍ଷେ ହେଲାଣି ସେ ମଦ ପିଉଥିଲେ। ତାଙ୍କ ମାନସିକ ଅବସ୍ଥା ଭଲ ରହୁନଥିବାରୁ ପଡ଼ୋଶୀଙ୍କ ପରାମର୍ଶକ୍ରମେ ପରିବାର ଲୋକେ ତାଙ୍କୁ ସୋମବାର କଟକ ବଡ଼ ଡାକ୍ତରଖାନାର ମାନସିକ ରୋଗ ବିଭାଗକୁ ଆଣିଥିଲେ। ତାଙ୍କୁ ସେଠାରେ ଆଡ୍ମିଟ୍ କରାଯାଇଥିଲା। ଗତକାଲି ରାତି ୯ଟା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। କିନ୍ତୁ ରାତିରେ ହଠାତ୍ ସେ ଘରକୁ ପଳାଇବେ ବୋଲି କହିଥିଲେ। ଏହା ପରେ ସିକ୍ୟୁରିଟୀ ଗାର୍ଡ ଓ ଆଟେଣ୍ଡାଣ୍ଟମାନେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ବେଡ୍ରେ ତାଙ୍କ ହାତ, ଗୋଡ଼ ବାନ୍ଧି ଦିଆଯାଇଥିଲା। ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ରାତି ପ୍ରାୟ ସାଢ଼େ ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ପ୍ରଥମେ ଜାଣିଥିଲେ। ଶ୍ରୀକାନ୍ତଙ୍କ ସ୍ତ୍ରୀ ସସ୍ମିତା ଦାସ କହିଛନ୍ତି ଯେ ତାଙ୍କୁ ଭଲ କରିବାକୁ ଆମେ ଡାକ୍ତରଖାନାକୁ ଆଣିଥିଲୁ। କିନ୍ତୁ ସେ ଗୋଟିଏ ଦିନ ରହିବା ପରେ ତାଙ୍କୁ ପିଟି ପିଟି ମାରିଦେଲେ। ସିକ୍ୟୁରିଟୀ ଗାର୍ଡ ଓ ଡାକ୍ତରଖାନାର ଆଉ କିଛି କର୍ମଚାରୀ ମିଶି ତାଙ୍କୁ ପ୍ଲାଷ୍ଟିକ୍ ପାଇପରେ ପିଟି ଥିଲେ। ହାତ, ଗୋଡ଼, ଜଂଘ, ପିଠି- କେଉଁଠି ବି ଜାଗା ନଥିଲା।