ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି। ବୁଧବାର ସନ୍ଧ୍ୟାରେ ଉଭୟ ଶ୍ରୀନଗରରେ ପହଞ୍ଚିଥିଲେ। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ରାହୁଲ ଏବଂ ମଲ୍ଲିକାର୍ଜୁନ ଜମ୍ମୁ ଏବଂ ଶ୍ରୀନଗରରେ ଅଛନ୍ତି। ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ଆମେ ସଂଗ୍ରାମ କରିବୁ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ‘ଆମେ ନିର୍ବାଚନ ବିଷୟରେ କର୍ମୀମାନଙ୍କୁ ଜଣାଇବାକୁ ଆସିଛୁ। ରାହୁଲ ଗାନ୍ଧୀ ସମସ୍ତ ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି। ଆମେ ଇଣ୍ଡିଆ ମେଣ୍ଟର ଫଳାଫଳ ଦେଖିଛୁ। ଆମେ ଏକ ଶାସକ ଦଳକୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ଅଟକାଇଲୁ। ତାଙ୍କୁ ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଗଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଐତିହାସିକ ଭାବରେ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ରାଜ୍ୟରେ ପରିଣତ ହୋଇଛି, କିନ୍ତୁ ଜାମ୍ମୁ କାଶ୍ମୀରରେ ଏହା ହୋଇ ନାହିଁ। ଏଠାରେ ବିଧାନସଭା, ନା ପରିଷଦ, ନା ପଞ୍ଚାୟତ କିମ୍ବା ନା ପୌରପାଳିକା ଅଛି। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଚାପରେ ନିର୍ବାଚନ ଘୋଷଣା କରାଯାଇଛି। ଗଣତନ୍ତ୍ରକୁ ଧ୍ୱଂସ କରି ଲୋକଙ୍କ ସ୍ୱରକୁ ଦମନ କରିବାରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ କଦାପି ସମର୍ଥ ହେବେ ନାହିଁ। ଆମେ ଜମ୍ମୁ କାଶ୍ମୀରର ଲୋକଙ୍କ ସହ ଅଛୁ। ଯଦି ଆମ ସରକାର ଗଠନ ହୁଏ, ତେବେ ଆମେ ଏଠାରେ ଯୁବକମାନଙ୍କୁ ରୋଜଗାର ଯୋଗାଇଦେବା ଏବଂ ଏଠାରେ ଶିଳ୍ପଗୁଡ଼ିକୁ ସୁରକ୍ଷିତ ରଖିବୁ। ୩୭୦ ଉଚ୍ଛେଦ ସତ୍ତ୍ୱେ ଏଠାରେ ଆତଙ୍କବାଦ ବୃଦ୍ଧି ପାଇଛି। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ପ୍ରାଥମିକତା ହେଉଛି ଏଠାରେ ରାଜ୍ୟ ପ୍ରତିଷ୍ଠା କରିବା। ନିର୍ବାଚନ ପୂର୍ବରୁ ଏହା ପୁନଃ ସ୍ଥାପିତ ହେବ ବୋଲି ଆମେ ଆଶା କରିଥିଲୁ। ସ୍ଵାଧିନତା ପରେ ଏହା ପ୍ରଥମ ଥର ପାଇଁ ଏକ ରାଜ୍ୟକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଆମର ଜାତୀୟ ମନୋଭାବରେ ଆମେ ସ୍ପଷ୍ଟ ଯେ, ଜମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପାଇବା ଉଚିତ୍। କାଶ୍ମୀର ସହିତ ମୋର ଗଭୀର ସମ୍ପର୍କ ଅଛି ଏବଂ ଆମେ ଶାନ୍ତି ଫେରାଇ ଆଣିବା ପାଇଁ ଲଢିବୁ।